
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂତନ ବନାଞ୍ଚଳ ଅଧିକାରୀ ଭାବେ ଖଲ୍ଲିକୋଟ ବନାଞ୍ଚଳ କାର୍ଯ୍ୟାଳୟରେ ଯୋଗଦାନ କରିଥିବା କୁଲେସ ଚନ୍ଦ୍ର ସାହୁଙ୍କୁ ସ୍ଥାନୀୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡକ୍ଟର ଏ ପି ଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଟ୍ରଷ୍ଟର ସଭାପତି, ପ୍ରକୃତି ବନ୍ଧୁ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ଭରସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, କବୟିତ୍ରୀ ବିଦ୍ୟୁତପ୍ରଭା ଦାଶ, ଗ୍ରାମ୍ୟଦେବୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ଟ୍ରଷ୍ଟର କୋଷାଧ୍ୟକ୍ଷ, ଶିକ୍ଷକ ତଥା ପ୍ରକୃତି ମିତ୍ର ମହାଦେବ ମଲ୍ଲିକ, ଯୁବ ସାହିତ୍ୟିକ ତଥା ସି.ଆର୍.ସି.ସି. ଡକ୍ଟର ଦ୍ୱାରିକାନାଥ ମହାରଣା ପ୍ରମୁଖ ନବ ନିଯୁକ୍ତ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହିତ ପବିତ୍ର ଭାଗବତ ଗୀତା ଉପହାର ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କବୟିତ୍ରୀ ବିଦ୍ୟୁତପ୍ରଭା ଦାଶଙ୍କ ଜମିରେ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ତାଳ ବିହନକୁ ଚାରା କରି ରୋପଣ କରିବା ଉଦ୍ଦେଶ୍ୟରେ ଏକ ସୁପରିକଳ୍ପିତ ପ୍ରକଳ୍ପ ସମ୍ପର୍କରେ ଅଧିକାରୀଙ୍କ ସହିତ ବିଶଦ ଆଲୋଚନା ହୋଇଥିଲା । ଶ୍ରୀ ସାହୁ ମଧ୍ୟ ଏପ୍ରକାର କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ଶୁଭାରମ୍ଭ କରିବାକୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।