
ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଏବଂ କେନାଲରେ ପର୍ଯ୍ୟାପ୍ତ ପାଣି ମିଳୁନଥିବାକୁ ନେଇ ପାଇକମାଲ ବ୍ଲକ ମାଣ୍ଡିଆଢିପାଠାରେ ପଞ୍ଚାୟତସ୍ତରୀୟ କୃଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଛି । ଡୋଲାମଣି ମାହାରଙ୍କ ନେତୃତ୍ୱରେ ହୋଇଥିବା ଏହି ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବର୍ଷା ଅଭାବରୁ ଧାନ ଫସଲ ମରିବାକୁ ବସିଥିବା ବେଳେ ଖଣ୍ଡିଝରନ ଡ୍ୟାମ୍ରୁ କେନାଲ ଜରିଆରେ ପର୍ଯ୍ୟାପ୍ତ ଜଳ ମିଳୁନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ଏଥିସହ ମାଣ୍ଡିଆଢିପା ବ୍ୟାରେଜ୍ର ନିର୍ମାଣ କାର୍ଯ୍ୟ ତୁରନ୍ତ କରିବାକୁ ଦାବି ହୋଇଥିଲା । ଅନ୍ୟପଟେ ବୋରୱେଲ୍ ବିଦ୍ୟୁତ୍ ବିଲ୍ରେ ଅତ୍ୟଧିକ ଟଙ୍କା ଆସୁଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏଗ୍ରିଷ୍ଟାକ୍ ଓ ଧାନ ବିକ୍ରି ପ୍ରସଙ୍ଗରେ ମତ ରଖିବା ସହ ସାଟେଲାଇଟ୍ ସର୍ଭେ ଠିକ୍ ଭାବେ କରିବାକୁ ଅନୁରୋଧ କରିଥିଲେ । ବୈଠକ ଶେଷରେ ଏକ ପଞ୍ଚାୟତସ୍ତରୀୟ କୃଷକ କମିଟି ଗଠନ କରାଯାଇଥିଲା । ଏଥିରେ ସୁବାସ ସାମନ୍ତରାୟ, କୈଳାଶ ବାରିକ, ଲିଙ୍ଗରାଜ ପଧାନ, ରବି ନାରାୟଣ ସାହୁ, କୌତୁକ ସାହୁ, ଯୁଧିଷ୍ଠିର ସାହୁ, ରାଜୀବ ସାହୁ, ଚିତ୍ତରଞ୍ଜନ ସାହୁ, ଯୁଗଳ ସାହୁ, ସତ୍ୟାନନ୍ଦ ସାହୁଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ ।