jayashree

ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ତ୍ୱରାନ୍ୱିତ କଲା ବାଲିଗୁଡ଼ା ପୁଲିସ : ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଜନସଚେତନତାକୁ ଗୁରୁତ୍ୱ ଦେଇଛି ବାଲିଗୁଡ଼ା ପୁଲିସ । ଦୁର୍ଗାପୂଜା ଓ ମା’ ପାଟଖଣ୍ଡାଙ୍କ ଦର୍ଶନ ପାଇଁ ମନ୍ଦିର ଓ ପୂଜାମଣ୍ଡପକୁ ଆସୁଥିବା ଭକ୍ତଙ୍କ ସମେତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତାଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି । ଏଥିସହ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କିତ ପ୍ରଚାରପତ୍ର ବଣ୍ଟନ କରି ନିଶାଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ପୁଲିସ । ଏହି ଅଭିଯାନରେ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ, ଥାନା ଅଧିକାରୀ (ଆଇଆଇସି) ସମୀର କୁମାର ବେହେରାଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ । ମା’ ପାଟଖଣ୍ଡାଙ୍କ ମନ୍ଦିର ଓ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ଉପସ୍ଥିତ ରହି ସେମାନେ ଭକ୍ତ ଓ ସାଧାରଣ ଲୋକଙ୍କୁ ପ୍ରଚାରପତ୍ର ବଣ୍ଟନ କରିବା ସହ ନିଶା ସେବନର ଭୟାବହ ପରିଣାମ ବିଷୟରେ ବୁଝାଇଥିଲେ । ପୁଲିସ ପକ୍ଷରୁ ବଣ୍ଟନ କରାଯାଇଥିବା ସଚେତନତା ପ୍ରଚାରପତ୍ରରେ ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି ହେବା ସହ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ସାମାଜିକ ଅବକ୍ଷୟ ଭଳି ବିଭିନ୍ନ କୁପରିଣାମ ସୃଷ୍ଟି ହେଉଥିବା ଦର୍ଶାଯାଇଛି । ନିଶାଠାରୁ ଦୂରେଇ ରହିବା ସହ ଯୁବପିଢ଼ିଙ୍କୁ ଏହାର କବଳରୁ ରକ୍ଷା କରିବା ଏବଂ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସର ଦାୟିତ୍ୱ ନୁହେଁ, ବରଂ ପରିବାର, ଯୁବପିଢ଼ି ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ । ଏହି ବାର୍ତ୍ତାକୁ ନେଇ ବାଲିଗୁଡ଼ା ପୁଲିସ ପକ୍ଷରୁ ଜାରି ରହିଛି ନିଶା ବିରୋଧୀ ସଚେତନତା ଅଭିଯାନ । ଏହି ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ କନ୍ଧମାଳ ଓ ସୁସ୍ଥ, ସୁରକ୍ଷିତ ଓଡ଼ିଶା ଗଠନର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି ।

Leave A Reply

Your email address will not be published.