jayashree

କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ : ଆକ୍ରମଣରେ ଜଣେ ମୃତ, ଡ୍ରୋନ୍‌ରେ ଚାଲିଛି ଖୋଜା

ବଲାଙ୍ଗିର : କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ । ଗତ ସାତ ଦିନରୁ ଅଧିକ ସମୟ ଧରି ସହରର ବିଭିନ୍ନ ସ୍ଥାନରେ ଭାଲୁ ଦେଖାଯାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ଏପରିକି ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଘଟଣା ପରେ ଭାଲୁକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ଅନୁସାରେ, କଣ୍ଟାବାଞ୍ଜି ସହରର ଶିଶୁ ଉଦ୍ୟାନ ନିକଟରେ ଭାଲୁ ଆକ୍ରମଣରେ ଡୁମେରଚୁଆଁ ଗାଁର ସୁରେନ୍ଦ୍ର ମାଝୀଙ୍କ ମୃତ୍ୟୁ ହୋଇଛି । ସେ ସାଇକେଲ ମରାମତି କରିବା ସହ ଅନ୍ୟ କାମ ପାଇଁ କଣ୍ଟାବାଞ୍ଜି ଆସିଥିଲେ । ରାତି ପ୍ରାୟ ୧୧ଟାରେ ଘରକୁ ଫେରୁଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ବନ ବିଭାଗ ଭାଲୁକୁ ଧରିବା ପାଇଁ ତତ୍ପର ହୋଇଉଠିଛି । ବଲାଙ୍ଗିରରୁ ଆସିଥିବା ରାପିଡ୍ ରେସପନ୍ସ ଟିମ୍‌ (ଆରଆରଟି) ଓ ସ୍ଥାନୀୟ ବନ କର୍ମଚାରୀ ମିଳିତ ଭାବେ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ଏଥିସହ ଡ୍ରୋନ୍‌ ସହାୟତାରେ ମଧ୍ୟ ଖୋଜାଖୋଜି ଜାରି ରହିଛି । ଅନ୍ୟପଟେ, ପାର୍ବଣ ଋତୁ ଚାଲିଥିବାରୁ ସହରରେ ଲୋକଙ୍କ ଯାତାୟତ ଓ ଭିଡ଼ ବଢ଼ୁଛି । ଏଭଳି ସମୟରେ ସହର ଭିତରେ ଭାଲୁର ଉପସ୍ଥିତି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି । ବିଶେଷକରି ରାତିରେ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ତେଣୁ ଭାଲୁକୁ ଶୀଘ୍ର ଠାବ କରି ସୁରକ୍ଷିତ ଭାବେ ଧରି ଜଙ୍ଗଲକୁ ନେବା ସହ ସହରବାସୀଙ୍କ ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି । ଭାଲୁ ଠାବ ହୋଇ ଧରାପଡ଼ିବା ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସମସ୍ତଙ୍କ ନଜର ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ।

Leave A Reply

Your email address will not be published.