
- ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନର ନୂତନ ଆଇନ ଅନୁସାରେ ୫ବର୍ଷରେ ଥରେ ନବୀକରଣର ଆବଶ୍ୟକତା ରହିଛି । ଇତିମଧ୍ୟରେ ବଲାଙ୍ଗିର ନାଗରିକ କମିଟିର ନବୀକରଣ ୨୦୩୧ ପର୍ଯ୍ୟନ୍ତ ମଞ୍ଜୁରୀ ହୋଇଥିବାରୁ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଜିଲ୍ଲାପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ସହରରେ ଟାଉନ ବସ୍ ଚଳାଚଳ ହୋଇନଥିବାରୁ ପରିବହନ ବିଭାଗକୁ ପତ୍ରାଳାପ କରିବା ପାଇଁ, ବାଏ-ପାସ ରାସ୍ତା ଅବରୋଧକୁ ଜିଲ୍ଲାପାଳଙ୍କ ପତ୍ର ଅନୁଯାୟୀ ହଟାଇବାପାଇଁ ଜାତୀୟ ରାଜପଥ ବିଭାଗ ତଥା ପୃର୍ତ୍ତବିଭାଗ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରାଯାଇଛି । ଚଳିତବର୍ଷ ବର୍ଷା ବହୁତ ହେଲା କିନ୍ତୁ ପୋକ ଲାଗିବାରୁ ଚାଷୀ ବର୍ଷାପାଣି ଛାଡି ଦେଲେ । ବର୍ତ୍ତମାନ ବର୍ଷା ଅଭାବରୁ କ୍ଷେତଫାଟି ଆଁ କଲାଣି । ପୁଇଁନ୍ତଲା ବ୍ଲକର ସାଉନ୍ତପୁର, ଚାରପାଲି ଆଦି ଗାଁ ମାନଙ୍କରେ ପାଇପରେ କିଛିକିଛି ପାଣି ବାହାରୁଥିବା ବେଳେ ବଲାଙ୍ଗିର ବ୍ଲକର ଚନ୍ଦନଭାଟି, ମିର୍ଦ୍ଧାପାଲି, ସଦାଇପାଲି ଗ୍ରାମ ପଞ୍ଚାୟତର କୌଣସି ଗ୍ରାମରେ ଲୋୟର ସୁକତେଲ ପ୍ରକଳ୍ପରୁ ପାଇବାକୁ ଆଶା ରଖିଥିବା ପାଇପ ଜଳ କୌଣସି କ୍ଷେତକୁ ଆସୁନାହିଁ । ଫଳରେ ଯଦି ଆଉ ଗୋଟିଏ ବର୍ଷା ନହୁଏ ମରୁଡି ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ ଅତିଶୀଘ୍ର ଲୋୟର ସୁକତେଲରୁ ପାଣି ଛାଡିବାକୁ ଦାବି କରାଯାଇଛି । ଆଜିର ସଭାରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ମଙ୍ଗନଲାଲ ଅଗ୍ରୱାଲ ବିଶେଷ ଅତିଥି ଭାବରେ ଯୋଗଦାନକରି ତଥ୍ୟସହ ଲୋୟର ସୁକତେଲ ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପାଇପ୍ ପାଣି ଦ୍ୱାରା ଜଳସେଚନ ସମ୍ଭବ ନୁହେଁ ଏବଂ ଏହାକୁ କେନାଲ ଯୋଗେ ଜଳ ସେଚନ ନ କରିବା ପର୍ଯ୍ୟନ୍ତ ଆମେ ଏହାକୁ ବଲାଙ୍ଗିରର ଜୀବନରେଖା ବୋଲି କହିପାରିବା ନାହିଁ ବୋଲି ସଭାରେ ପ୍ରକାଶ କରିଥିଲେ । ତାଙ୍କ ବକ୍ତବ୍ୟକୁ ସଭାରେ ସର୍ବସମ୍ମତ୍ତି କ୍ରମେ ଅନୁମୋଦନ କରାଯାଇଥିଲା । ପୁନଶ୍ଚ ଏହି ପ୍ରସଙ୍ଗରେ ଲୋୟର ସୁକତେଲ ମୁଖ୍ୟ ନିର୍ବାହୀଯନ୍ତ୍ରୀଙ୍କୁ କିଛିତଥ୍ୟ ମଗାଯାଇଛି । ଯେଉଁଥିରେ ପାୱାର ଜେନେରେସନ ଏବଂ ପାଇପ ଯୋଗେ ଜଳସେଚନ କେତେ ଫଳପ୍ରଦ ହେବ, ଜଣାଇବାପାଇଁ ଅନୁରୋଧ କରାଯାଇଛି ବୋଲି ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ତଥ୍ୟ ମିଳିଲାପରେ କେନାଲ ଯୋଗେ ଜଳସେଚନ ପାଇଁ ଦାବି କରିବା ସଙ୍ଗେସଙ୍ଗେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଲୋଚନାରେ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, ଡା. ପ୍ରମୋଦ କୁମାର ମିଶ୍ର, ସହ-କୋଷାଧ୍ୟକ୍ଷ ସତ୍ୟବାଦୀ ନାଏକ, ସଦସ୍ୟ ପ୍ରଫୁଲ୍ଲ କୁମାର ମିଶ୍ର, ମୋତିଲାଲ ସାହୁ, ତରୁଣ କୁମାର ମିଶ୍ର, ବିନୋଦ ବିହାରୀ ପାଣିଗ୍ରାହୀ ଓ ଗୋପବନ୍ଧୁ ପୁରୋହିତ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।