jayashree

ବୋଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ଗୁରୁ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବୋଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନ୍ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁ ଦିବସ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ବୋଧମାର୍ଗ ଲାଇଭଲିହୁଡ୍ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବଳଦେବ ବାଗ, ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ବଗର୍ତ୍ତୀ, ରାଜକିଶୋର ଥାପା, ଜୟନ୍ତୀ ଲାଲା ସାହୁ, ଶ୍ରୀମତୀ ଇନ୍ଦ୍ରା ମାଝୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷକମାନଙ୍କ ଅମୂଲ୍ୟ ଅବଦାନ, ତ୍ୟାଗ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ସେମାନଙ୍କ ଭୂମିକାକୁ ସ୍ମରଣ କରାଯାଇଥିଲା । ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ, ବରଂ ଜଣେ ମଣିଷର ଚରିତ୍ର, ଚିନ୍ତାଧାରା ଓ ଭବିଷ୍ୟତ ଗଠନର ମୁଖ୍ୟ ଆଧାର ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବଳଦେବ ବାଗ ଛାତ୍ରଛାତ୍ରୀମାନଙ୍କୁ ଗୁରୁଜନଙ୍କୁ ସମ୍ମାନ କରିବା ସହ ଶିକ୍ଷକମାନଙ୍କ ଦିଗଦର୍ଶନରେ ନିଜ ଜୀବନକୁ ସଫଳ ଓ ସମାଜ ଉପଯୋଗୀ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନଶିକ୍ଷକ ସଞ୍ଜୟ ବଗର୍ତ୍ତୀ ମଧ୍ୟ ଗୁରୁ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ଦେଖାଯାଇଥିଲା । ଶେଷରେ ସମସ୍ତ ଗୁରୁଜନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.