
ବଲାଙ୍ଗିର, (କେପିଏନ୍ଏସ୍) : ମାଉଥ୍ କ୍ୟାନ୍ସର । ଯେଉଁ ରୋଗରେ ପାଟିରୁ କଥା ବାହାର କରିବା ବି କଷ୍ଟକର । କ୍ୟାନ୍ସର ଯୋଗୁଁ ଜିଭ କାଟିବାକୁ ପଡ଼ିଲା । ତଥାପି ହାର ମାନିନାହାନ୍ତି । ବରଂ ନିଜର ନିଆରା କଥା କହିବା ଶୈଳୀକୁ ହିଁ କରିଛନ୍ତି ନିଜର ପରିଚୟ । ଆଜି ସୋସିଆଲ୍ ମିଡିଆରେ ପୋପୁଲାର୍ ଭ୍ଲଗର୍ ଭାବେ ପରିଚିତ ବଲାଙ୍ଗିରର ଟିକେଶ୍ୱର ସାହୁ । ଟିକେଶ୍ୱର ସାହୁ । ଘର ବଲାଙ୍ଗିର ସହରର ଶାନ୍ତିପଡ଼ାରେ । ପାଖାପାଖି ୬ ବର୍ଷ ଧରି ମାଉଥ୍ କ୍ୟାନ୍ସର ସହ ଲଢ଼ିଛନ୍ତି । ଜୀବନର ସେହି କଠିନ ସମୟରେ ସହିଛନ୍ତି ଅସହ୍ୟ ଯନ୍ତ୍ରଣା । କ୍ୟାନ୍ସର ଯୋଗୁଁ ତାଙ୍କ ଜିଭର ଏକ ଅଂଶ କାଟିବାକୁ ମଧ୍ୟ ପଡ଼ିଛି । ଏବେ ବି ସ୍ପଷ୍ଟ ଭାବେ କଥା କହିବା ତାଙ୍କ ପାଇଁ ସହଜ ନୁହେଁ । ରୋଗକୁ ନିଜ ଉପରେ ଭାରି ହେବାକୁ ଦେଇନାହାନ୍ତି ଟିକେଶ୍ୱର । କ୍ୟାନ୍ସରକୁ ପରାସ୍ତ କରିବା ପରେ ଧୀରେ ଧୀରେ ସୋସିଆଲ୍ ମିଡିଆ ଦୁନିଆରେ ପାଦ ରଖିଥିଲେ । ନିଜ ଅନୁଭବ, ଜୀବନଶୈଳୀ ଓ ଦୈନନ୍ଦିନ ଘଟଣାକୁ ନେଇ ଭିଡିଓ କରିବା ଆରମ୍ଭ କଲେ । ମୁଖ୍ୟତଃ ଫୁଡ୍ ଭ୍ଲଗିଂ ସହ ପଶ୍ଚିମ ଓଡ଼ିଶାର ଚାଲିଚଳଣ, ଖାଦ୍ୟ ଓ ସ୍ଥାନୀୟ ଜୀବନଶୈଳୀକୁ ନିଜ ଭିଡିଓରେ ଦେଖାଉଛନ୍ତି ଟିକେଶ୍ୱର । ତାଙ୍କର ନିଆରା କଥା କହିବା ଶୈଳୀ ଓ ସରଳ ଉପସ୍ଥାପନାକୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ । ବଲାଙ୍ଗିରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ପହଞ୍ଚିଛି ସାରା ଓଡ଼ିଶାର ଦର୍ଶକଙ୍କ ପାଖରେ । ତାଙ୍କ ଭିଡିଓ ଲକ୍ଷାଧିକ ଦର୍ଶକଙ୍କ ନିକଟରେ ପହଞ୍ଚୁଛି । ଦିନେ ଯେଉଁ ରୋଗ ତାଙ୍କ କଥା କହିବାର ଶକ୍ତିକୁ ଛଡ଼ାଇ ନେଇଥିଲା, ଆଜି ସେହି କଥା କହିବାର ଶୈଳୀ ହିଁ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ତାଙ୍କ ପରିବାର ଲୋକଙ୍କ ସପୋର୍ଟ ଓ ଭଲପାଇବା ଯୋଗୁଁ ସେ ଏତେ ଦୂର ପର୍ଯ୍ୟନ୍ତ ପହଂଚି ପାରିଛନ୍ତି । ତାଙ୍କ ପରିବର ଲୋକେ ତାଙ୍କ ଏହି ସଫଳତା ପାଇଁ ବେଶ୍ ଖୁସି ଅଛନ୍ତି । କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ସହ ଦୀର୍ଘ ଲଢ଼େଇ ପରେ ଜୀବନକୁ ନୂଆ ଢଙ୍ଗରେ ବଞ୍ଚିବା ଶିଖିଛନ୍ତି ଟିକେଶ୍ୱର । ତାଙ୍କ କାହାଣୀ କେବଳ ଜଣେ ଭ୍ଲଗରଙ୍କ ସଫଳତାର କାହାଣୀ ନୁହେଁ, ବରଂ ପ୍ରତିକୂଳ ପରିସ୍ଥିତିରେ ହାର ନମାନି ଆଗକୁ ବଢ଼ିବାର ଏକ ପ୍ରେରଣାଦାୟୀ ଉଦାହରଣ ।