jayashree

କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ : ୪ ଗିରଫ

  • ବନ୍ଧୁକ, ଛୁରୀ, ବୁଲେଟ୍‌ ସହ ନଗଦ ଟଙ୍କା ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍‌ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇଥିଲା । ଏହି ଘଟଣା ଗୁଡ଼ିକରେ ସମ୍ପୃକ୍ତ ଏକ ଚୋର ଗ୍ୟାଙ୍ଗକୁ ଠାବ କରି କୋଟଗଡ଼ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ନିକଟରେ କୋଟଗଡ଼ ନୂଆ କୁମ୍ଭାର ସାହିର ମଞ୍ଜୁ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନାଗହଣା ସହ ନଗଦ ୨୫ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଏନେଇ କୋଟଗଡ଼ ଥାନାରେ କେସ୍‌ ନଂ ୧୫୮/୨୦୨୬ ରୁଜୁ ହୋଇଥିଲା । ଥାନା ଅଧିକାରୀ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନୀଳିମାଝୀଗୁଡ଼ାର ସମିତ କୁମାର ପାଲଟାସିଂ, କୋଟଗଡ଼ର ବିକାଶ ବଳିଆରସିଂ, ରୋହିତ ନାୟକ ଏବଂ ତୁମୁଡ଼ିବନ୍ଧର ରାହୁଲ ମାନସେଟ । ପୁଲିସ ସେମାନଙ୍କ ନିକଟରୁ ନଗଦ ୧୪,୭୦୦ ଟଙ୍କା, ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ, ଗୋଟିଏ ବୁଲେଟ୍‌ ମୋଟର ସାଇକେଲ ଓ ୨ଟି ମୋବାଇଲ ଫୋନ ଜବତ କରିଛି । ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି । ଗିରଫ ୪ ଅଭିଯୁକ୍ତଙ୍କର ମେଡିକାଲ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.