
- ଅବସରପ୍ରାପ୍ତ ଶିକ୍ଷକ ଧର୍ମୁ ବାଗଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଶନିବାର ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଗରଗଡବାହାଲ ପଞ୍ଚାୟତ କଟାଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନ ୭ଟା ୩୦ମିନିଟ ସମୟରେ ଗୁରୁ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ସ୍ମରଣ କରି ଏହି ଗୁରୁ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଗରଗଡବାହାଲ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ଗଁରେଇସ୍ଥିତ ଡ. ବିଆର୍ ଆମ୍ବେଦକର ହାଇସ୍କୁଲର ଅବସରପ୍ରାପ୍ତ ଖେଳ ଶିକ୍ଷକ ଧର୍ମୁ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ସମ୍ପର୍କର ମହତ୍ତ୍ୱ, ଶିକ୍ଷକଙ୍କ ଦାୟିତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟି ସଭାପତି ନନ୍ଦଲାଲ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲିଙ୍ଗରାଜ ବାଗ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଶିକ୍ଷାର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଧର୍ମୁ ବାଗଙ୍କୁ ପ୍ରଧାନଶିକ୍ଷକ ବୈଶାଖୁ ଶିକା ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ କରିଥିବାବେଳେ ବିଦ୍ୟାଳୟ ସଭାପତି ନନ୍ଦଲାଲ ବାଗ ଉପଢୌକନ ପ୍ରଦାନ କରି ତାଙ୍କୁ ସମ୍ମାନିତ କରିଥିଲେ । ଏହା ଉପସ୍ଥିତ ସମସ୍ତଙ୍କ ମନରେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଭାବନାକୁ ଆହୁରି ଗଭୀର କରିଥିଲା । ଏହି ଅବସରରେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ କୁସୁମାଞ୍ଜଳୀ ମହାନନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁ ଦିବସର ମହତ୍ତ୍ୱ ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରି ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ । ସମଗ୍ର ସଭାକୁ ପ୍ରଧାନଶିକ୍ଷକ ବୈଶାଖୁ ଶିକା ସୁଚାରୁ ରୂପେ ପରିଚାଳନା କରିବା ସହ ଶେଷରେ ଉପସ୍ଥିତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟ ବକ୍ତା, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତାର ଭାବନାକୁ ଉଜ୍ଜୀବିତ କରିଥିବା ଏହି ଗୁରୁ ଦିବସ ପାଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଶିକ୍ଷଣୀୟ ଓ ସ୍ମରଣୀୟ ହୋଇଥିଲା ।