
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାକିରୀ କରାଇଦେବା ଆଳରେ ଟଙ୍କା ଲୁଟି ନେଉଥିବା ଅଭିଯୋଗରେ ୪ଜଣ ଠକ କୁ ଛତ୍ରପୁର ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ତିନୋଟି ମୋବାଇଲ୍ ଫୋନ୍, ଟି.ଭି.ଏସ. ମୋଟର ସାଇକେଲ ସହ ୨୫ ହଜାର ଟଙ୍କା ନଗଦ ପୋଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ସଂସ୍ଥା ମାନଙ୍କରେ ଚାକିରୀ କରାଇଦେବା ଆଳରେ ନିଯୁକ୍ତି ମେଳା ଓ ନିଯୁକ୍ତି ଆଦେଶ ପ୍ରମାଣପତ୍ର ଦେଇ ବହୁ ଯୁବପିଢ଼ିଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଛତ୍ରପୁର ସହରାଞ୍ଚଳର ପୁରୁଣା ପୋଲିସ ଲାଇନ୍, ଗୌରୀ ଶଙ୍କର ମନ୍ଦିର ନିକଟସ୍ଥ ବିଷ୍ଣୁପ୍ରିୟା କନକ୍ଲେଭ୍ କୋଠାରେ ଚାଲିଥିବା ଏକ ନିଯୁକ୍ତି ମେଳାରେ କେତେଜଣ ବୁଦ୍ଧିଜୀବୀଙ୍କୁ ସଚେତନ କରାଯାଉଥିଲା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଥ୍ୟ ଅନୁସନ୍ଧାନ କରି କେତେଜଣଙ୍କୁ ପୋଲିସ ଜେରା କରିଥିଲା । ପରେ ପ୍ରକୃତ ଠକ ଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ବୋଲି ଜଣାପଡ଼ିଛି । ଏନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଥାନାରେ ମାମଲା ରୁଜୁ ହୋଇ ଶୁକ୍ରବାର ସନ୍ଧ୍ୟାରେ ୪ଜଣଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଛତ୍ରପୁର ପୁରୁଣା ଛତ୍ରପୁର ଅଞ୍ଚଳର ବିଷ୍ଣୁ ପ୍ରିୟା ବେହେରା (୨୭), ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକ ଯମୁନା ଅଞ୍ଚଳର ନାରାୟଣ ସେଠୀ ଏବଂ ତାଙ୍କ ପତ୍ନୀ ଦୀପା ବେହେରା ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବେଳେ ଛତ୍ରପୁର ସ୍ଥିତ ଅଗସ୍ତିନୂଆଗାଁ ଅଞ୍ଚଳରୁ ଆସି ଛତ୍ରପୁର କପିଳ ସାହିରେ ସିଲେଇ କରି ଚଳୁଥିବା ସୁନୀତା ଦାସଙ୍କୁ ଉକ୍ତ ଠକ ଟିମ୍ ଅନ୍ୟ କେତେଜଣଙ୍କୁ ଆଣିଲେ ତୁମକୁ ମଧ୍ୟ ଚାକିରୀରେ ନିୟୋଜନ କରାଯିବ ବୋଲି କହିଥିବା ଜଣାଯାଏ । ତେବେ ତାଙ୍କରି ପ୍ରଲୋଭନରେ ଅନ୍ୟ କେତେଜଣଙ୍କୁ ଅର୍ଥ ଠକେଇ ହୋଇଥିଲା ବୋଲି କୁହାଯାଉଛି । ଏହି ମାମଲାରେ ଅଭିଯୁକ୍ତ ସୁନୀତା ଦାସଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ ବାଧ୍ୟ ହୋଇଛି ବୋଲି ଜଣାପଡ଼ିଛି । ଏଭଳି ବିଭିନ୍ନ ସ୍ଥାନରେ ଅର୍ଥ ଠକେଇ ମାମଲାରେ ଧରପଗଡ କରି ଛତ୍ରପୁର ଥାନା ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରି ଦୋଷୀଙ୍କୁ ଗିରଫ କରାଯାଉଛି । ଏନେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁରବାସୀ ସାଧୁବାଦ ଜଣାଇଛନ୍ତି ।