jayashree

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

  • ନିମ୍ନମାନର ସାମଗ୍ରୀ ଯୋଗାଣ ଓ ଇଚ୍ଛାକୃତ ଅବହେଳା ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରେଳ ଭବନରେ ଏକ ବିସ୍ତୃତ ସୁରକ୍ଷା ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରେଳବାଇ ବୋର୍ଡର ସଦସ୍ୟ, ଜୋନାଲ ରେଳବାଇର ଜେନେରାଲ ମ୍ୟାନେଜର, ମହାନିର୍ଦ୍ଦେଶକ (ଡିଜି) ଏବଂ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ୍) ଉପସ୍ଥିତ ଥିଲେ।
ଏହି ବୈଠକରେ ରେଳ ମନ୍ତ୍ରୀ ମିଶନ ମୋଡରେ ସିଗନାଲିଂ ସମ୍ବନ୍ଧୀୟ ବୈଷୟିକ ତ୍ରୁଟି ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଭରହେଡ୍ ଉପକରଣ (ଓ.ଏଚ୍.ଇ.) ସମ୍ବନ୍ଧରେ, ଯେଉଁ ସ୍ଥାନରେ ସେଗୁଡ଼ିକର ନିର୍ଦ୍ଧାରିତ ସେବା ଅବଧି ସମାପ୍ତ ହୋଇଛି, ସେହି ସ୍ଥାନରେ ଉପାଦାନଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ପ୍ରତିସ୍ଥାପନ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କୁହାଯାଇଥିଲା।
ରେଳ ମନ୍ତ୍ରୀ କୋଚଗୁଡ଼ିକର ରକ୍ଷଣାବେକ୍ଷଣ, ବିଶେଷ କରି ଅଗ୍ନି ନିରାପତ୍ତା ଏବଂ ବୈଦ୍ୟୁତିକ ପରିପଥ ସମ୍ବନ୍ଧୀୟ ତାରର ରକ୍ଷଣାବେକ୍ଷଣ ଉପରେ ବିଶେଷ ଧ୍ୟାନ ଦେଇ କର୍ମଶାଳାରେ ରକ୍ଷଣାବେକ୍ଷଣ ସ୍ତରରେ ଉନ୍ନତି ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରେଳ ମନ୍ତ୍ରୀ ମଧ୍ୟ କପଲର ଏବଂ ୱାଗନ ଏବଂ କୋଚର ଚକର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବାକୁ କହିଥିଲେ।
ଟ୍ରାକ୍ ରକ୍ଷଣାବେକ୍ଷଣ ସମ୍ବନ୍ଧରେ, ପଏଣ୍ଟ ମେସିନ୍, ଟର୍ଣ୍ଣଆଉଟ୍ ଏବଂ ଫାଷ୍ଟନରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯେଉଁଠାରେ କୌଣସି ଫାଷ୍ଟନର ନାହିଁ, ସେଗୁଡ଼ିକର ସ୍ଥାପନ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ନିମ୍ନମାନର ଯୋଗାଣ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ସିଗନାଲିଂ ଏବଂ ଟେଲିକମ୍ (ଏସ୍ ଆଣ୍ଡ ଟି), ଓଏଚଇ, ଟ୍ରାକ୍, କୋଚ୍ କିମ୍ବା ୱାଗନ ସମ୍ବନ୍ଧୀୟ ସାମଗ୍ରୀର ଗୁଣବତ୍ତାରେ ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ ସମ୍ପୃକ୍ତ ଯୋଗାଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କୁହାଯାଇଛି। ଇଚ୍ଛାକୃତ ଅବହେଳା ମାମଲାରେ ସମ୍ପୃକ୍ତ ଯୋଗାଣକାରୀଙ୍କୁ ସ୍ଥାୟୀ ଭାବରେ କଳା ତାଲିକାଭୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ରେଳ ମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବା ଏବଂ ଯେଉଁ ସ୍ଥାନରେ ପର୍ବପର୍ବାଣୀ କିମ୍ବା ମେଳା କାରଣରୁ ହଠାତ୍ ଯାତ୍ରୀଙ୍କ ଭିଡ଼ ହେବାର ସମ୍ଭାବନା ରହିଛି, ସେଠାରେ ଆଗୁଆ ପ୍ରସ୍ତୁତି କରିବାକୁ କହିଥିଲେ, ଯାହାଦ୍ୱାରା ସେଠାରେ ଆବଶ୍ୟକ ସୁବିଧା ଠିକ୍ ସମୟରେ ଉପଲବ୍ଧ ହୋଇପାରିବ।

Leave A Reply

Your email address will not be published.