jayashree

ସାଲେପଡାରୁ ନିଖୋଜ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ କୂଅରୁ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ ସାଲେପଡ଼ା ଗ୍ରାମରୁ ବୁଧବାର ଦିନ ଅପରାହ୍ନରୁ ନିଖୋଜ ଥିବା ଜଣେ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ ଗୁରୁବାର ଗାଁର ଏକ କୂଅରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସାଲେପଡ଼ା ଗ୍ରାମର ପ୍ରବୀଣ କୁମାର ହାତୀଙ୍କ ପୁଅ ଅଜେନ୍ ହାତୀ(୧୧)ଜନ୍ମରୁ ମାନସିକ ଭିନ୍ନକ୍ଷମ ଭାବେ ଶୁଣି ଓ କଥା କହି ପାରୁନଥିବା ବେଳେ ଆଖିକୁ ମଧ୍ୟ କମ୍ ଦେଖାଯାଏ । ସେ ଗାଁରେ ସବୁବେଳେ ବୁଲାବୁଲି କରୁଥାନ୍ତି । ବୁଧବାର ଅପରାହ୍ନରୁ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ । ଗୁରୁବାର ସକାଳୁ ଗ୍ରାମର ଏକ କୂଅରେ ତାଙ୍କ ମୃତଦେହ ଭାସୁଥିବା ପରିବାର ଓ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ଥାନା ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ମୁରିବାହାଲ ଥାନା ପୁଲିସ ଏସଆଇ ପଙ୍କଜିନୀ ବାଗ ଓ ଅଗ୍ନିଶମ ବିଭାଗ ଓଆଇସି ଶ୍ରୀକାନ୍ତ ସେଠଙ୍କ ନେତୃତ୍ୱରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି କୂଅର ପାଣିରୁ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନମ୍ବର ୧୦/୨୬ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ସବଇନ୍ସପେକ୍ଟର ପଙ୍କଜିନୀ ବାଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.