jayashree

ବଲାଙ୍ଗିର ବିଧାନସଭା ମଣ୍ଡଳୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା

  • ସିକୁଆଁ–ସୋନଗଡ଼ ବ୍ୟାରେଜ୍ ପାଇଁ ₹୯୧.୧୧ କୋଟିର ଟେଣ୍ଡରକୁ ନେଇ ଖୁସି ପ୍ରକାଶ କଲେ ବିଧାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟା ସମାଧାନ ନେଇ ଏକ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ । ବୈଠକରେ ଯୋଗାଣ, ସାମାଜିକ କଲ୍ୟାଣ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ଲୋୟର ସୁକତେଲ, ପୂର୍ତ୍ତ, ସଂସ୍କୃତି, ଜଙ୍ଗଲ, ଗ୍ରାମ୍ୟ ଜଳଯୋଗାଣ, ସ୍ୱାସ୍ଥ୍ୟ, କୃଷି, କ୍ଷୁଦ୍ର ଜଳସେଚନ, ଅବକାରୀ ଓ ଗୃହ ବିଭାଗ ସମେତ ବିଭିନ୍ନ ବିଭାଗର ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା । ବିଶେଷକରି ଦେଓଗାଁ ବ୍ଲକ୍‌ର ସିକୁଆଁ ନିକଟ ସୋନଗଡ଼ ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ୯୧ କୋଟି ୧୧ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ପଦକ୍ଷେପକୁ ନେଇ ବିଧାୟକ ଶ୍ରୀ ସିଂହଦେଓ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଓ ଦେଓଗାଁ ବ୍ଲକ୍ ବିଧାୟକ ପ୍ରତିନିଧି ସୁଶୀଲ ଚାନ୍ଦଙ୍କ ସମେତ ବହୁ ଜନପ୍ରତିନିଧି ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟପକ୍ଷରେ ବାଲି ଉତ୍ତୋଳନ ଓ ଯୋଗାଣ ସମ୍ପର୍କିତ ପ୍ରସଙ୍ଗରେ ବୈଠକରେ ବିଧାୟକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ । ବାଲି ମାଫିଆଙ୍କ ପ୍ରତି ସହାନୁଭୂତି ଦେଖାଇ ଘର ନିର୍ମାଣ କରୁଥିବା ଗରିବ ହିତାଧିକାରୀଙ୍କୁ ଅଯଥା ହଇରାଣ କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ଏପରି ଘଟଣା ଯେପରି ନ ଘଟେ ସେଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ତାଗିଦ କରିଥିଲେ । ସେହିପରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଏସ୍‌ସି/ଏସ୍‌ଟି ସ୍କୁଲ୍‌ଗୁଡ଼ିକର ନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି ଲୋକଙ୍କୁ ଏହାର ସୁଫଳ ପ୍ରଦାନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ଚାଲୁଥିବା ପ୍ରକଳ୍ପ, ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ । ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.