jayashree

ନରସିଂହଙ୍କ ପ୍ରେସ ବିବୃତ୍ତି

  • ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହଡ଼ପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ରୂପ ନେଲା, କିନ୍ତୁ ଆଜି ଯାଏଁ ବିଶ୍ୱବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ରହିଯାଇଛି । ଶିକ୍ଷକ ଓ ଅଣଶିକ୍ଷକ ପଦବୀର ଏଠି ମରୁଡି ପଡିଛି । ଭିତ୍ତିଭୂମି ମଧ୍ୟ କୌଣସି ଆଖି ଦୃଶିଆ ବିକାଶ ହୋଇନାହିଁ । ଦୁଇଦିନ ତଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ନିଜେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ପୂର୍ବ ପୁରୁଷ ଏହି ଶିକ୍ଷାନୁଷ୍ଠାନ ପାଇଁ ୨୦୦ ଏକର ଜମି ପ୍ରଦାନ କରିଥିଲେ । ସେ ଏହା ବି ସ୍ୱୀକାର କରିଛନ୍ତି ଯେ, ସେହି ଜମିିକୁ ବିଶ୍ୱବିଦ୍ୟାଳୟ ନିଜର କରି ରଖି ନାହିଁ ଏହାର ୭୫ ଭାଗ ଜମି ହଡପ ହୋଇଯାଇଛି । ତାଙ୍କର ଏହି ସ୍ପଷ୍ଟ ମନ୍ତବ୍ୟ ପାଇଁ ମୁଁ ନିଶ୍ଚିତ ଭାବେ ତାଙ୍କୁ ଧନ୍ୟବାଦ ଦେଉଛି ଏବଂ ତା ସହ ଅନୁରୋଧ କରୁଛି ଯେ, ତାଙ୍କ ସରକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏହି ହଡ଼ପ ହୋଇଯାଇଥିବା ଜମିକୁ ଯେତେ ଶୀଘ୍ର ହେବ ଜମି ହଡ଼ପକାରୀଙ୍କ କବଜାରୁ ମୁକଳାଇ ପୁଣି ବିଶ୍ୱବିଦ୍ୟାଳୟକୁ ଫେରେଇବାର ବ୍ୟବସ୍ଥା କରନ୍ତୁ । ଯେହେତୁ ସେ ଏବେ ଉପ ମୁଖ୍ୟମନ୍ତ୍ରୀ ଭାବେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ଏବଂ ଏହି ଅନୁଷ୍ଠାନ ତାଙ୍କ ପୂର୍ବପୁରୁଷଙ୍କ ନାଁରେ ନାମିତ ଅଛି । ତେଣୁ ଶିକ୍ଷାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ହଡ଼ପ ଜମିକୁ ପୁଣି ଫେରେଇ ପାରିଲେ ବଲାଙ୍ଗିରବାସୀ ନିଶ୍ଚିତ ଭାବରେ କୃତଜ୍ଞତା ପ୍ରକାଶ କରିବେ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି । ଏହା ସହ ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯେହେତୁ ପୂର୍ବ ସରକାର ସମୟରେ ବିଧାନସଭା ଅଧିବେଶନରେ ରାଜ୍ୟପାଳ ନିଜ ଅଭିଭାଷଣରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ହେବ ବୋଲି କହିଥିଲେ ଏବଂ ଏହା ମଧ୍ୟ ସତ୍ୟ ଯେ, କେବିକେ ଅଂଚଳରୁ କୃଷି ବିଶ୍ୱବିଦ୍ୟାଳୟ ପାଇଁ କେବଳ ବଲାଙ୍ଗିରବାସୀ ହିଁ ଦାବି କରି ଆସୁଛନ୍ତି ତେଣୁ ଉପ ମୁଖ୍ୟମନ୍ତ୍ରୀ ବଲାଙ୍ଗିରବାସୀଙ୍କ ଦାବିକୁ ସମ୍ମାନ ଦେଇ ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ଦିଗରେ ପଦକ୍ଷେପ ନେବେ । ଗଡଜାତ ମିଶ୍ରଣ ରାଜିନାମାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଯଦି ହାଇକୋର୍ଟର ବ୍ୟାଂଚ ଭବିଷ୍ୟତରେ କେବେ ବି ସ୍ଥାପନ ହୁଏ ତେବେ ବଲାଙ୍ଗିରର ଦାବିକୁ ଅଣଦେଖା କରାଯାଇ ପାରିବ ନାହିଁ । ଏହି ମନ୍ତବ୍ୟକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ଦିବସରେ ଦେହୋରାଇଛନ୍ତି । ତାଙ୍କର ଏହି ଉକ୍ତି ସହ ମୁଁ ମଧ୍ୟ ସହମତ । ତେଣୁ ବର୍ତ୍ତମାନର ସରକାର ବଲାଙ୍ଗିରରେ ଯେପରି ହାଇକୋର୍ଟ ବ୍ୟାଂଚ ସ୍ଥାପନ କରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ବିଜେପି ସରକାର ଇତି ମଧ୍ୟରେ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି ଏହା ସତ୍ତ୍ୱେ ସରକାରଙ୍କ ଘୋଷିତ ଦେଓଗାଁ ଚିନିକଳ ଆଜି ପର୍ଯ୍ୟନ୍ତ ଚାଲୁ ହୋଇପାରୁନାହିଁ ଏହା ଯେପରି ଶୀଘ୍ର ଚାଲୁ ହେବ ଏବଂ ଜିଲ୍ଲାର ଲୋକେ ଏହା ସୁଫଳ ପାଇପାରିବେ ସେ ଦିଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.