
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଜୟଦେବ ପ୍ରଧାନଙ୍କ ସଭାପତିତ୍ୱ କରିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପିକା ନିରୂପମା ପ୍ରଧାନ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀମାନେ “ମଙ୍ଗଳେ ଅଇଲା ଉଷା” ସଙ୍ଗୀତ ପରିବେଷଣ କରିଥିଲେ । ପରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରିବା ସହିତ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବରେ ଗାଇସିଲେଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଜୟକେତନ ତ୍ରିପାଠୀ ଯୋଗଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ କାବ୍ୟ ଚେତନା ଓଡ଼ିଶା ସାହିତ୍ୟକୁ ସମୃଦ୍ଧ କରିବା ସହିତ ଓଡ଼ିଶାର ଜନମାନସକୁ ପ୍ରଭାବିତ କରିଛି । ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ରାଜେନ୍ଦ୍ର ସାହୁ ଯୋଗ ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରକୃତି ଚିତ୍ରଣର ମହନୀୟତା ବର୍ଣ୍ଣନା କରିଥିଲେ । ଓଡ଼ିଆ ଅଧ୍ୟାପିକା ରଶ୍ମିତା ମହାନ୍ତି ସଭା ପରିଚାଳନା କରିଥିଲେ । ଏହି ସଭାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ସବିତା ଭୋଇ ଧନ୍ୟବାଦ ଦେଇଥିଲେ ।