
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପବନ୍ଧୁ ଦାଶ ସୋମବାର ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ସ୍କୁଲ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଦାଶ ୨୯/୦୧/୧୯୮୮ରେ ଶିକ୍ଷକତା ଜୀବନ ଆରମ୍ଭ କରି ସୋମବାର ୩୧/୦୮/୨୦୨୬ରେ ଅବସର ଗ୍ରହଣ କରିଥିଲେ । ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, କାନ୍ତାରାମ ଧରୁଆ ଓ ସିଆର୍ସିସି ଯାଜ୍ଞସେନୀ ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶ୍ରୀ ଦାଶଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଏହି ଅବସରରେ ତାଙ୍କୁ ଫାଇନାଲ ପେନସନ ପେପର ପ୍ରଦାନ କରାଯାଇଥିଲା । ନିଜ ଦୀର୍ଘ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା କରି ଶ୍ରୀ ଦାଶ ସମ୍ପୂର୍ଣ୍ଣ ଭାବବିହ୍ୱଳ ହୋଇପଡିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ କିଶୋର ଝାଙ୍କର, କୃପାସିନ୍ଧୁ ବାଗ, ସୁବାସ ପଟ୍ଟନାୟକ, ନିମାଇଁ କୁମ୍ଭାର, କ୍ଷୀରସିନ୍ଧୁ ବାଗ, ଲକ୍ଷ୍ମୀନାରାୟଣ ଛତ୍ରିଆ, କୁମୁଦିନୀ କୁଅଁର, କନକଲତା ମାଝୀ ଓ ଲକ୍ଷ୍ମୀ ଗହିରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।