
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ପକ୍ଷରୁ ସଂସ୍କୃତ ସପ୍ତାହ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଗୋଟିଏ ସପ୍ତାହ ଧରି ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଏହା ପାଳିତ ହେଉଛି । ସଂସ୍କୃତ ଭାଷା ଏକ ଜ୍ଞାନର ଭାଷା ଯାହା ପୃଥିବୀକୁ ଭାରତର ଅନନ୍ୟ ଅବଦାନ । ଏହି ଅବସରରେ ସଂସ୍କୃତ ଭାଷାର ମହତ୍ତ୍ୱ, ଏହାର ଐତିହାସିକ ଓ ସାଂସ୍କୃତିକ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୌତୁକ ପନ୍ଦର ଅଧ୍ୟକ୍ଷତା କରି ସଂସ୍କୃତ ସପ୍ତାହ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ସଂସ୍କୃତ ଭାଷାକୁ ଭାରତୀୟ ଜ୍ଞାନ, ପରମ୍ପରା ଓ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ବାହକ ଭାବେ ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଡଃ. ଶ୍ରୀକାନ୍ତ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା । ଏଥିରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ତଥା ବିଭାଗମୁଖ୍ୟ ଏଲ୍.ଟି. କୁଶା କହଁର ଏବଂ ଇଂରାଜୀ ବିଭାଗର ବିଭାଗମୁଖ୍ୟ ତଥା ସହକାରୀ ପ୍ରଫେସର ବନ୍ଦନା ବାର ଉପସ୍ଥିତ ରହି ସଂସ୍କୃତ ଭାଷାର ଗୁରୁତ୍ୱ ଓ ପ୍ରାସଙ୍ଗିକତା ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ବିଭିନ୍ନ ସଂସ୍କୃତ ଶ୍ଲୋକ ପାଠ କରିବା ସହିତ ବୈଦିକ ମନ୍ତ୍ର ଉଚ୍ଚାରଣ କରିଥିଲେ । ଶ୍ଲୋକ ପାଠ ମାଧ୍ୟମରେ ସଂସ୍କୃତ ଭାଷାର ମାଧୁର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ ଜ୍ଞାନପରମ୍ପରାର ପରିଚୟ ମିଳିଥିଲା । ଏଥିସହ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ପ୍ରତିଭାଗୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ସଂସ୍କୃତ ଭାଷା ଓ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ନିଜର ଆଗ୍ରହ ଓ ସମ୍ମାନ ପ୍ରଦର୍ଶନ କରିଥିଲେ । ସମଗ୍ର ପରିବେଶ ସଂସ୍କୃତମୟ ହୋଇଉଠିଥିଲା ।