
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଜଗନ୍ନାଥପଡା ଅଞ୍ଚଳର ଯୁବକ ସୌମ୍ୟରଞ୍ଜନ ନାଏକଙ୍କ ଅକାଳ ବିୟୋଗ ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସମ୍ବଲପୁର ରୋଡ଼ ସ୍ଥିତ ଜଗନ୍ନାଥ ପ୍ୟାଲେସ ହୋଟେଲ ସମ୍ମୁଖରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ବଲାଙ୍ଗିର ଆର୍ଟିଓ କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ମୋଟରସାଇକେଲରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ହେଲେ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୌମ୍ୟରଞ୍ଜନ ନାଏକ ଜଗନ୍ନାଥପଡା ନିବାସୀ ବରିଷ୍ଠ ଆଇନଜୀବୀ ସୁଶାନ୍ତ ନାଏକଙ୍କ ଏକମାତ୍ର ପୁତ୍ର ଥିଲେ । ସେ ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଭଣଜା ମଧ୍ୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଆଜି ସକାଳେ ପୋଲିସ ପକ୍ଷରୁ ପଞ୍ଚନାମା ପରେ ପରିବାର ଲୋକେ ସୌମ୍ୟରଞ୍ଜନଙ୍କ ଦୁଇଟି ଚକ୍ଷୁ ଦାନ କରି ଏକ ମହତ୍ କାର୍ଯ୍ୟ କରିଥିଲେ । ପରେ ବିଭୂତିପଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସୌମ୍ୟରଞ୍ଜନ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ସହୃଦୟ ଯୁବକ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ତାଙ୍କର ଅକାଳ ବିୟୋଗରେ ଆତ୍ମୀୟ-ସ୍ୱଜନ, ବନ୍ଧୁବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ପରିବାର ସଦସ୍ୟମାନେ ଏହି ଅପୂରଣୀୟ କ୍ଷତିରେ ଭାଙ୍ଗିପଡ଼ିଥିବା ବେଳେ ସମସ୍ତେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

