jayashree

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ଓଜେସିର ମଦମୁକ୍ତ ଆନ୍ଦୋଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଓଡ଼ିଶା ଜନତା କଂଗ୍ରେସ (ଓଜେସି) ଦଳ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଂଯୋଜକ ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମଦମୁକ୍ତ ଆନ୍ଦୋଳନ ଆରମ୍ଭ ହୋଇଛି । ମଦମୁକ୍ତ ସମାଜ ଗଠନର ଲକ୍ଷ୍ୟ ନେଇ ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟ ଭୁରସାଗୁଡ଼ା ପଞ୍ଚାୟତରୁ ଆରମ୍ଭ ହୋଇଥିବା ବେଳେ ଆଜି ଚାନ୍ଦୋତରା ପଞ୍ଚାୟତରେ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଦଳର କର୍ମୀମାନେ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳାମାନଙ୍କ ସହ ଆଲୋଚନା କରି ମଦ୍ୟପାନ ଯୋଗୁଁ ପରିବାର, ସମାଜ ଓ ଯୁବପିଢ଼ି ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ମଦ ବିରୋଧୀ ଜନମତ ସୃଷ୍ଟି ସହ ସମାଜରୁ ଏହି କୁପ୍ରଥା ଦୂର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା । ଏହା ସହିତ ପଞ୍ଚାୟତ ଅଞ୍ଚଳରେ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା । ପଦଯାତ୍ରାରେ ବହୁ ସଂଖ୍ୟକ ମହିଳା ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇ ମଦମୁକ୍ତ ସମାଜ ଗଠନ ପାଇଁ ସମର୍ଥନ ଜଣାଇଥିଲେ । ଆଗାମୀ ଦିନରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଏହି ଅଭିଯାନକୁ ବ୍ୟାପକ ଭାବେ ଚାଲୁ ରଖାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.