jayashree

ବୁଡ଼ାମାଲରେ ଏକଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ସ୍ଥିତ ରାଜେଶ ଖେଳପଡ଼ିଆ ଠାରେ ଏକ ଭବ୍ୟ ଏକଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ବୁଡ଼ାମାଳର ଜଣେ ପ୍ରତିବଦ୍ଧ କ୍ରୀଡ଼ାପ୍ରେମୀ ଭାବେ ପରିଚିତ ରାଜେଶ ପଟେଲଙ୍କ ଅବଦାନକୁ ଅତିଥି ଗଣ, ଖେଳାଳୀ ଓ ଦର୍ଶକମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଗାଁରେ ଖେଳପଡିଆଟିଏ ନଥିବା ଅନୁଭବ କରି ଯିଏ ଯୁବପିଢ଼ିଙ୍କୁ ଖେଳକୁଦ ପ୍ରତି ଆକୃଷ୍ଟ କରିବା ସ୍ୱପ୍ନ ନେଇ ନିଜସ୍ୱ ଉଦ୍ୟମରେ ୨୦୨୩ ମସିହାରୁ ସରକାରୀ ପାଣ୍ଠି ସହାୟତା ବିନା ନିଜ ଖର୍ଚ୍ଚରେ ଖେଳପଡ଼ିଆର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ବାସ୍ତବ ରୂପ ଦେଇଛନ୍ତି । ତାଙ୍କର କ୍ରୀଡା ପ୍ରତି ନିଃସ୍ୱାର୍ଥପର ସମର୍ପିତ ମନୋଭାବ ଯୋଗୁଁ ବୁଡ଼ାମାଲ ଅଞ୍ଚଳରେ ଏଭଳି ଏକ ସଫଳ ରାତ୍ରିକାଳୀନ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମ୍ଭବ ହୋଇପାରିଛି । ମୁଖ୍ୟଅତିଥି ଭାବେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଦ୍ୱାରା ଯୁବପିଢ଼ି ନିଜ କ୍ରୀଡା ପ୍ରତିଭା ବିକାଶ କରିବା ସହ ଭବିଷ୍ୟତକୁ ଶୃଙ୍ଖଳିତ କରି ଗଢି ପାରିବେ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ପ୍ରୀତମ ମେହେର ଯୋଗଦେଇ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଏଭଳି ପ୍ରତିଯୋଗିତା ଭ୍ରାତୃଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ । ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରୁ ମୋଟ ୨୪ ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ କ୍ରୀଡ଼ାପ୍ରେମୀ ଓ ଜନସାଧାରଣ ପଡ଼ିଆରେ ଉପସ୍ଥିତ ରହି ଖେଳର ଭରପୂର ମଜା ନେବା ସହ ଖେଳାଳୀମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.