jayashree

ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାକୁ ପ୍ରକୃତି ମିତ୍ର ଓ ଆନନ୍ଦ ବଡ଼ପଣ୍ଡାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗିର ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡ ଓ ଆଞ୍ଚଳିକ କାର୍ଯ୍ୟାଳୟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ବଲାଙ୍ଗିର ସୌଜନ୍ୟରେ ଆୟୋଜିତ ସଭାରେ ଏ ବର୍ଷର ମୁଖ୍ୟ ବିଷୟ “ପ୍ରକୃତିରୁ ଅନୁପ୍ରାଣିତ ଜଳବାୟୁ ଆମ ଭବିଷ୍ୟତ” ପାଇଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅନୁଷ୍ଠାନ ଓ ପ୍ରକୃତିପ୍ରେମୀଙ୍କୁ ପ୍ରକୃତିମିତ୍ର ଓ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଡିଏଫଓ ଅଜିତ ବିଶିଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲୱାର ମୁଖ୍ୟଅତିଥି, ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ଅତିରିକ୍ତ ଆରକ୍ଷୀ ଅଧିକାରୀ ଜିଏନ୍‌ ମଲ୍ଲିକ ସମ୍ମାନିତ ଅତିଥି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବବିତା ସିଂ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବନଖଣ୍ଡ କାର୍ଯ୍ୟାଳୟର ଅର୍ଜୁନ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ପୁଇଁତଲା ବ୍ଲକ ପାଇଁ ପଂଚାୟତ ଉଚ୍ଚ ବିଦ୍ୟାଳୟକୁ “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ ପୂର୍ବକ ପ୍ରମାଣପତ୍ର ଓ କୋଡିଏ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ପୁଣି ପରିବେଶ ସଂରକ୍ଷଣ, ସଚେତନତା, ବୃକ୍ଷ ରୋପଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କୁ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ ପୂର୍ବକ ମାନପତ୍ର ସହ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରାଗଲା । ପ୍ରକାଶ ଥାଉକି ଶ୍ରୀ ବଡ଼ପଣ୍ଡା ସଦାସର୍ବଦା ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ପ୍ଳାଷ୍ଟିକ ବର୍ଜନ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଦୀର୍ଘ ଦଶନ୍ଧି ଧରି ନିଜ ବିଦ୍ୟାଳୟ ତଥା ଆଖପାଖର ବିଦ୍ୟାଳୟରେ ପରିବେଶ ସମ୍ପର୍କିତ କାମ କରିଆସୁଛନ୍ତି । ପ୍ରକାଶ ଥାଉକି ଶ୍ରୀ ବଡ଼ପଣ୍ଡା ବୃତ୍ତିରେ ଜଣେ ବିଜ୍ଞାନ ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବଲାଙ୍ଗିର ଜିଲ୍ଲା ଇକୋ କ୍ଲବର ଜଣେ ମୁଖ୍ୟ ସାଧନ କର୍ମୀ ଅଟନ୍ତି । ତେଣୁ ବିଦ୍ୟାଳୟ ମାନଙ୍କରେ ଶିଶୁ ଟିଏ ଗଛଟିଏ ଉପରେ କାମ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରୁଛନ୍ତି ।

Leave A Reply

Your email address will not be published.