
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖିଳ ଓଡିଶା ଶିକ୍ଷକ ମହାସଙ୍ଘର ପ୍ରାଣ ପ୍ରତିଷ୍ଠାତା, ଶିକ୍ଷକ କୁଳର ତ୍ରାଣକର୍ତ୍ତା ସ୍ୱର୍ଗତ ଅବନୀ କୁମାର ବରାଳଙ୍କୁ ୯୨ତମ ଜୟନ୍ତୀ ଉତ୍ସବ ଅବନୀ ବରାଳ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗଞ୍ଜାମ ଜିଲ୍ଲାର ବର୍ଷିଆନ ଶିକ୍ଷକ ନେତା ତଥା ଗୌତମୀ ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ଶୋଭାଚନ୍ଦ୍ର ଷଡ଼ଙ୍ଗୀ(୮୬)ଙ୍କୁ ତାଙ୍କର ଶିକ୍ଷକ ସମାଜର ଉନ୍ନତିରେ ଆଜୀବନ ସଂଗ୍ରାମ ତଥା ଶିକ୍ଷକ ମହାସଙ୍ଘର ଆଜୀବନ ସାଧାରଣ ସମ୍ପାଦକ ସ୍ୱର୍ଗତ ଅବନୀ ବରାଳଙ୍କ ନେତୃତ୍ୱର ଦୃଢ଼ ସମର୍ଥକ ରୂପେ ତାଙ୍କୁ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ସମ୍ମାନିତ କରାଯାଇଛି । ଫାଉଣ୍ଡେସନର ସଭାପତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଉଦଘାଟନ କରିଥିବା ବେଳେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ଅବନୀ ବରାଳଙ୍କ ବହୁମୁଖୀ ପ୍ରତଭା, ଶିକ୍ଷକ ଆନ୍ଦୋଳନ, ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ. ମାନସ ବେହେରା, ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଧନଞ୍ଜୟ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଡ଼ଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଗଞ୍ଜାମ ଶିକ୍ଷକ ମହାସଂଘର ସଭାପତି ସଞ୍ଜୟ କୁମାର ଷଡ଼ଙ୍ଗୀ ଓ ରାଜ୍ୟ ମହାସଙ୍ଘର ଅଧ୍ୟକ୍ଷ କାମରାଜୁ ମହାରଣା ଏହି ସମାବେଶରେ ଯୋଗ ଦେଇଥିଲେ ।