jayashree

କଲମପୁରରେ ଚାଷୀଙ୍କ ଗଣଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସ ଅଧୀନରେ ଥିବା ବଙ୍କାପଲା, ଦେପୁର, ବରଗାଁ, କଲମପୁର ଏବଂ ପଣ୍ଡିଗାଁ ୫ଟି ମଣ୍ଡିର ଅଚଳାବସ୍ଥା ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ଶୁକ୍ରବାର ଦିନ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ୫ଟି ମଣ୍ଡିର ଶତାଧିକ ଚାଷୀ ଧାରଣାରେ ବସିବା ସହ କଲମପୁର ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପିକେଟିଙ୍ଗ କରିଥିଲେ । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଚାଷୀ ମାନଙ୍କୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ ଉପସ୍ଥିତ ରହି ମଣ୍ଡି ସମସ୍ୟା ଉପରେ ପ୍ରଶାସନ ଏବଂ ଚାଷୀଙ୍କ ସହିତ ଆଲୋଚନା କରି ସମାଧାନର ପଦକ୍ଷେପ ନେବାକୁ ଜୋର ଦେଇଥିଲେ । ପେକ୍ସ ସଭାପତି ଶଙ୍କର୍ଷଣ ବେହେରା, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଲ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରାଜାରାମ ହୋତା, ଏମ୍‌ ଆଇ ଲିସା ସାହୁ ପ୍ରମୁଖ ଚାଷୀଙ୍କସହ ଆଲୋଚନା କରିଥିଲେ । ଆବଶ୍ୟକ ମୁତାବକ ବସ୍ତା ଯୋଗାଣ, ଅସହଯୋଗ କରୁଥିବା ମିଲର୍ସଙ୍କ ପରିବର୍ତ୍ତନ ସହ ଅଧିକ ମିଲର୍ସ ନିୟୋଜିତ କରିବା, ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଭଳି ଦାବୀର ସମାଧାନ କରାଯିବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ହୋତା ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଧାରଣରୁ ଉଠିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.