
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭକ୍ତବତ୍ସଳା ଲୀଳାମୟୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବ ମୁଖର ଭାବେ ସମାହିତ ହୋଇ ଗୁରୁବାର ଶେଷ ଦିନର ଘଟଯାତ୍ରାର ପରିସମାପ୍ତି ଘଟିଛି । ବୁଧବାର ସନ୍ଧ୍ୟା ବେଳେ ରିକାପଲ୍ଲୀ ଅଭିମୁଖେ ଦେବୀଙ୍କ ଘଟଯାତ୍ରା ବାହାରିଥିଲା । ଦ୍ୱିତୀୟ ବାର ମା’ ଙ୍କ ଘଟଯାତ୍ରା ହୋଇଥିବା ବେଳେ ଏହି ଦିନ ମଧ୍ୟ ବିଶିଷ୍ଟ ସମାଜସେବୀ ଦୀପକ ମୁଦୁଲିଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ପୃଷ୍ଠପୋଷକତାରେ ଏହି ଘଟଯାତ୍ରାର ଅୟୋଜନ ହୋଇଥିଲା । ଆଡ଼ମ୍ବରପୂର୍ଣ୍ଣ ନାଟ୍ୟଦଳକୁ ଦେବୀ ନିଜ ନିଜ ସହଚରୀମାନଙ୍କୁ ନେଇ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବୀଙ୍କ ଘଟଯାତ୍ରା ସମାହିତ ହୋଇଥିଲା । ଏହି ଦିନ ଠାକୁରାଣୀ ଅସ୍ଥାୟୀ ଆଡ଼ପ ମଣ୍ଡପକୁ ପହଞ୍ଚିଲା ବେଳକୁ ପ୍ରତ୍ୟୁଷ ଅର୍ଥାତ୍ ପ୍ରାତଃ ୪ ଘଣ୍ଟା ସମୟ ହୋଇଯାଇଥିଲା । ରିକାପଲ୍ଲୀ ବୁଢ଼ୀ ଠାକୁରାଣୀ ମନ୍ଦିର ଯୁବଗୋଷ୍ଠୀ, ରିକାପଲ୍ଲୀ ସାହିର ସମସ୍ତ ଯୁବପୀଢ଼ି ଖୁବ୍ ନିଆରା ପରମ୍ପରା ଭାବେ ଏହି ଭକ୍ତିମୟ ପରିବେଶକୁ ଉପଭୋଗ କରି ମା’ଙ୍କ ଦିବ୍ୟକୃପା ଲାଭ କରିଥିଲେ । ଠାକୁରାଣୀ ଯାତ୍ରାର ଶେଷ ଘଟଯାତ୍ରା ଭାବେ ଗୁରୁବାର ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ସୀତାରାମପଲ୍ଲୀ ଗ୍ରାମ ଅଭିମୁଖେ ଆଗମନ ହୋଇଛି । ସୀତାରାମପଲ୍ଲୀ ଅଞ୍ଚଳର ସ୍ୱର୍ଗତ ସି.ଏଚ. ୱର୍ଦ୍ଧା ରାଜୁଲୁ ରେଡ୍ଡୀଙ୍କ ଅନ୍ତେ ତାଙ୍କ ପୁତ୍ର ରାଜା ରେଡ୍ଡୀଙ୍କ ସୌଜନ୍ୟରେ ବଡ଼ରେଡ୍ଡୀ ସାହିର ଶେଷ ଘଟଯାତ୍ରା ସମାହିତ ହୋଇଯାଇଛି । ବର୍ଣ୍ଣାଢ୍ୟ ପଟୁଆର ଶୋଭାଯାତ୍ରାରେ ସହ ରାତ୍ରି ଶେଷ ଯାମରେ ଅସ୍ଥାୟୀ ମଣ୍ଡପକୁ ଦେବୀଙ୍କ ପ୍ରତ୍ୟାଗମନ ହୋଇଛି । ଚଳିତ ୫ ତାରିଖରେ ଅର୍ଥାତ୍ ଶୁକ୍ରବାର ଦେବୀ ଅସ୍ଥାୟୀ ମଣ୍ଡପରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବେ । ଶୁକ୍ରବାର ମଧ୍ୟରାତ୍ରରେ ଦେବୀ ଶ୍ୱଶୁରାଳାୟକୁ ପ୍ରତ୍ୟାଗମନ କରିବେ । ସେହିଦିନ ହେଉଛି ମା’ଙ୍କ ଶେଷ ବିଦାୟ ରଜନୀ ଭାବେ ଦେବୀଙ୍କ ପଟୁଆର ଶୋଭାଯାତ୍ରା ସହ ସମାହିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ପ୍ରୟାସ ଜାରୀ ରହିଛି ।