jayashree

ସାରସ୍ୱତ ସାଧିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ “ଅକ୍ଷୟ ଭକ୍ତି “ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରସ୍ୱତ ସାଧିକା ଜ୍ୟୋତ୍ସ୍ନାମୟୀ ତ୍ରିପାଠୀଙ୍କ ଦ୍ଵିତୀୟ କବିତା ସଂକଳନ “ଅକ୍ଷୟ ଭକ୍ତି “ଉନ୍ମୋଚିତ ହୋଇଯାଇଛି । ଲାଇସିୟମ ପବ୍ଲିକେସନ ଦ୍ୱାରା ପ୍ରକାଶିତ ଏହି ଭକ୍ତି ସଂକଳନକୁ ସ୍ଥାନୀୟ ଶାନ୍ତିପଡା ଠାରେ ଅନୁଷ୍ଠିତ ସଭାରେ କୋଶଳ ପ୍ରବାହ ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଏବଂ ଅବସରପ୍ରାପ୍ତ କୃଷି ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଅତିଥି ଭାବରେ ଯୋଗଦେଇ ଉନ୍ମୋଚନ କରିଥିଲେ । କବି ଶ୍ରୀଯୁକ୍ତ ସାହୁ ନିଜ ବକ୍ତବ୍ୟରେ ଲେଖିକା ଶ୍ରୀମତୀ ତ୍ରିପାଠୀଙ୍କ ସରଳ ଓ ନିରାଡ଼ମ୍ବର ସାହିତ୍ୟ ସାଧନା ତଥା ତାଙ୍କ କବିତାରେ ଥିବା ଈଶ୍ୱରଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଭାବକୁ ପ୍ରଶଂସା କରିବା ସହିତ, କବିତା କିପରି ମଣିଷର ଏକଲାପଣକୁ ଦୂରକରି ସମସ୍ତଙ୍କ ସହିତ ଯୋଡି ହେବାର ଭାବ ପ୍ରଦାନ କରିଥାଏ ଉପସ୍ଥିତ ସାହିତ୍ୟ ପ୍ରେମୀଙ୍କୁ ସୁନ୍ଦର ଭାବରେ ବୁଝାଇଥିଲେ । ଅନ୍ୟତମ ଅତିଥି ଶ୍ରୀଯୁକ୍ତ ମିଶ୍ର ନିଜର କବିତା ପ୍ରତିରୁଚି କିପରି ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଟାଣି ଆଣିଥାଏ କହିବା ସହିତ ଲେଖିକାଙ୍କ ସାହିତ୍ୟ ପ୍ରତି ସମର୍ପଣ ଭାବକୁ ପ୍ରଶଂସା କରିଥିଲେ । ଲେଖିକା ଶ୍ରୀମତୀ ତ୍ରିପାଠୀ ନିଜ ଲେଖକୀୟ ମତରେ କିପରି ରୀତିଯୁଗୀୟ କବିତା ପ୍ରତି ତାଙ୍କର ଆଗ୍ରହ ବଢିଲା ଏବଂ ନିଜେ ଏହିପରି କବିତା ଲେଖିବା ପାଇଁ ପ୍ରେରିତ ହେଲେ ସେ ବିଷୟରେ କହିଥିଲେ । ଅଥିତିମାନଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ ହେଲା ପରେ ଏହାର ସଂକ୍ଷିପ୍ତ ଆଲୋଚନା ଏବଂ ସଭା ପରିଚାଳନା କରିଥିଲେ କଵି ରତ୍ନମୟ ତ୍ରିପାଠୀ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ପୁସ୍ତକର ପ୍ରକାଶକ ବିମଲ କିଶୋର ମିଶ୍ର । କାର୍ଯ୍ୟକ୍ରମକୁ ସଫଳ କରିବାରେ, ପ୍ରିୟା ମିଶ୍ର, ଲିଜା, ଶ୍ରୀଯା, ଆରାଧ୍ୟା, ସୁଜାତା, ରିଷି ଖୁସି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ସାହିତ୍ୟପ୍ରେମୀ ଯୋଗଦେଇଥିଲେ ।

Leave A Reply

Your email address will not be published.