jayashree

ବିଧାୟକଙ୍କ ନିଜସ୍ୱ ଗ୍ରାମ ରାସ୍ତା ୪ବର୍ଷ ହେଲା ନିର୍ମାଣ ସରୁନି : ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରଶାସନିକ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ମରଣଯନ୍ତା ପାଲଟିଥିବା ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ବିଗତ ୪ ବର୍ଷ ହେବ କଇଁଝର-ଗୁଟିଙ୍ଗିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଠିକାଦାରଙ୍କ ଲାଭ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ପରିତାପର ବିଷୟ ହେଉଛି, ଏହି ରାସ୍ତାଟି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନିଜ ଗାଁର ରାସ୍ତା ହୋଇଥିଲେ ମଧ୍ୟ ଏହାର କାମ ଅଧପନ୍ତରିଆ ହୋଇ ପଡ଼ିରହିଛି । ମିଳିଥିବା ସୂଚନା ମୁତାବକ, ଗତ ୨୦୧୯ ମସିହାରେ ଏହି ରାସ୍ତା କାମ ଆରମ୍ଭ ହୋଇଥିଲା । ମାତ୍ର କୋଭିଡ୍ ମହାମାରୀ ସମୟରେ ତତ୍କାଳୀନ ଠିକାଦାରଙ୍କ ମୃତ୍ୟୁ ଘଟିବା ପରେ କାମଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସେହି ସମୟରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତାକୁ ମୁକୁଳା କରି ଛାଡ଼ି ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ କଇଁଝର ଠାରୁ ଦାଣ୍ଡିଙ୍ଗପାଙ୍ଗା ପର୍ଯ୍ୟନ୍ତ ମାତ୍ର ୩ କିଲୋମିଟର ଏବଂ ସେପଟେ ବିରଙ୍ଗୀ ଠାରେ ଅଧା କିଲୋମିଟର ରାସ୍ତାରେ କେବଳ ଥରେ ମାତ୍ର ପିଚୁ ପଡ଼ିଥିଲା । ଏହାପରେ ଆଉ କାମ ଆଗକୁ ବଢ଼ିନାହିଁ । ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବସ୍ଥା ସାଙ୍ଘାତିକ ହୋଇପଡ଼ିଛି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ଓ ମୃତ୍ୟୁ ବରଣ କରୁଛନ୍ତି । ଏହା ସତ୍ତ୍ୱେ ପ୍ରଶାସନ ସବୁ ଦେଖି ନଦେଖିଲା ଭଳି ନିରବଦ୍ରଷ୍ଟା ସାଜିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି । ମାତ୍ର ନୂତନ ଠିକାଦାର ଅଧିକ ମୂଲ୍ୟରେ (ଏକ୍ସେସ ରେଟ )ଟେଣ୍ଡର ପାଇଥିବାରୁ, ଏହାର ଚୂଡ଼ାନ୍ତ ଅନୁମୋଦନ ପାଇଁ ଫାଇଲ୍ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଉଚ୍ଚ ଅଧିକାରୀଙ୍କ ପାଖକୁ ପଠାଯାଇଛି । ସେଠାରୁ ମଞ୍ଜୁରୀ ମିଳିବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବ । ତେବେ ସରକାରୀ କାଗଜପତ୍ର ଓ ଠିକାଦାରଙ୍କ ଲାଭ-କ୍ଷତିର ଅଙ୍କକଷା ଭିତରେ ସାଧାରଣ ଜନତା କାହିଁକି ବଳିପଡ଼ିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ, ନିଜ ନିର୍ବାଚନ ମଣ୍ଡଳୀ ଓ ନିଜ ଗାଁର ଏହି ସମସ୍ୟାକୁ ନେଇ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ବିଷୟରେ ଅନେକ ଥର ତାଗିଦ୍ କରିବା ସହ ତୁରନ୍ତ କାମ ସାରିବାକୁ କହିଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ବର୍ଷା ଦିନ ପାଖେଇ ଆସୁଥିବାରୁ ଯଦି ତୁରନ୍ତ ଏହି ରାସ୍ତା ମରାମତି ବା ନିର୍ମାଣ କାର୍ଯ୍ୟ କରା ନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.