
ବଲାଙ୍ଗିରରେ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ‘ଚୁଲା ଜଲାଓ’ ଧାରଣା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ବଲାଙ୍ଗିର, (କେପିଏନ୍ଏସ୍) : ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସଙ୍କଟ ଓ ଦରଦାମ ଲଗାତାର ବୃଦ୍ଧି ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଭାରତ ମୁକ୍ତିମୋର୍ଚ୍ଚା ଓ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ‘ଚୁଲା ଜଲାଓ’ ଧାରଣା କରାଯାଇଛି । ଆଜି ସକାଳ ୯ଟାରେ ଜିଲ୍ଲା ଆବାହକ ସରୋଜ କୁମାର ମେଶ୍ଵାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ କର୍ମୀମାନେ କାଠ ଚୁଲା ଜାଳି ପ୍ରତିବାଦ କରିଥିଲେ । କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିର ଅଭାବ ଓ ଭୁଲ ବୈଦେଶିକ ନୀତି ଯୋଗୁଁ ଗ୍ୟାସ ସଙ୍କଟ ଓ ଦରବୃଦ୍ଧି ହେଉଛି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଧାରଣା ପରେ ସଂଗଠନର ଆବାହକ ସରୋଜ କୁମାର ମେଶ୍ଵା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଓ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ତୁରନ୍ତ ରନ୍ଧନ ଗ୍ୟାସ ଦର ହ୍ରାସ, ସମସ୍ତ ଗରିବ ପରିବାରକୁ ସୁଲଭ ମୂଲ୍ୟରେ ଗ୍ୟାସ ଯୋଗାଣ ଓ ବ୍ୟବସାୟିକ ସିଲିଣ୍ଡର ଦର ନିୟନ୍ତ୍ରଣ ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ଅବସରରେ ଶ୍ରୀ ମେଶ୍ଵା କହିଛନ୍ତି, “ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଦେଇ ସରକାର ବାହାବା ନେଲେ, ହେଲେ ଆଜି ଦର ୧୧୦୦ ଟଙ୍କା ପାର୍ ହେଲାଣି । ଗରିବ ଲୋକ ପୁଣି କାଠ ଚୁଲାକୁ ଫେରୁଛି । ଏହା ସରକାରଙ୍କ ବିଫଳତା” । ଏହି କାର୍ଯ୍ୟକ୍ରମରେ ବହୁଜନ ମୁକ୍ତି ପାର୍ଟିର ସଦସ୍ୟ ହରିନନ୍ଦଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ମହିଳାମାନେ ଉପସ୍ଥିତ ଥିଲେ । ପ୍ରତିବାଦ ସମୟରେ “ଗ୍ୟାସ ଦର କମାଅ, ଚୁଲା ଜାଳିବା ବନ୍ଦ କର” ଆଦି ସ୍ଲୋଗାନ ଦିଆଯାଇଥିଲା । ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ଦାବି ପୂରଣ ନହେଲେ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।