
- ସତ୍ୟଭାମା ସ୍ମରଣିକା ଲୋକାର୍ପିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରାଜ୍ୟର ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ଓ ବାସ୍ତୁବିଦ ତଥା ସୁସାହିତ୍ୟକ ଡ଼. ଦେବୀ ପ୍ରସାଦ ମହାପାତ୍ରଙ୍କ ପରଲୋକଗତା ମାତା ସତ୍ୟଭାମା ମହାପାତ୍ରଙ୍କ ସ୍ମୃତିରେ ଆୟୋଜିତ ୪ର୍ଥ ସତ୍ୟଭାମା ଶବ୍ଦରାଗ -୨୦୨୬ ଉତ୍ସବ ଶ୍ରୀ ମହାପାତ୍ରଙ୍କ ଗ୍ରାମ ବରାଳ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଓଡ଼ିଆ ଭାଷାବିଦ ପ୍ରାଧ୍ୟାପକ କୈଳାଶ ଚନ୍ଦ୍ର ଟିକାୟତରାୟ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଓଡିଶା ରାଜ୍ୟ ପାଲା ଗାୟକ ପରିଷଦର ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା, ଓଡିଶା ବିଧାନସଭାର ପୂର୍ବତନ ଅନୁଶାସନ ସଚିବ ସୁରେଶ କୁମାର ନାୟକ,ବିଶିଷ୍ଟ ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର, ଅଗ୍ରଣୀ ପ୍ରକାଶନ ସଂସ୍ଥା ଆଦିତ୍ୟ ପବ୍ଲିକେସନର ସମ୍ପାଦକ ଦେବାଶିଷ ସାମନ୍ତରାୟ, ମେକ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାରର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ପ୍ରମୁଖ ଆୟୋଜିତ ସଭାରେ ଅତିଥି ଭାବେ ଯୋଗ ଦେଇ ସମବେତ ସାରସ୍ୱତ ସାଧକ ମାନଙ୍କୁ ସମ୍ବୋଧିତ କରିବା ସହ ଦେବୀବାବୁଙ୍କ ଏହି ଅନନ୍ୟ ପ୍ରୟାସର ପ୍ରଶଂସା କରିଥିଲେ । ବିଶିଷ୍ଟ ସାହିତ୍ୟିକ, ଗବେଷକ ଗାୟକ ଜ୍ଞାନସାଗର ସଚ୍ଚିଦାନନ୍ଦ ମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଦେବୀ ବାବୁଙ୍କ ସମ୍ପାଦନାରେ ଶ୍ରୀମତୀ ପାର୍ବତୀ ମହାପାତ୍ରଙ୍କ ଦ୍ୱାରା ପ୍ରକାଶିତ ଜନ୍ମଦାତ୍ରୀ ମା’ଙ୍କ ସ୍ମୃତିରେ ରାଜ୍ୟର କୋଣ ଅନୁକୋଣର କବି କବୟିତ୍ରୀ ମାନଙ୍କ ଆଲେଖ୍ୟରେ ସମୃଦ୍ଧ ସ୍ମରଣିକା ‘ସତ୍ୟଭାମା ‘ ଅତିଥି ମାନଙ୍କ ଦ୍ୱାରା ସଭାମଞ୍ଚରେ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ ଶତାଧିକ କବି କବୟିତ୍ରୀ ‘ମା’ ଶୀର୍ଷକ ସ୍ୱରଚିତ କବିତା ଆବୃତ୍ତି କରି ପରିବେଶକୁ ମା’ ମୟ କରିଦେଇଥିଲେ । କବୟିତ୍ରୀ ତଥା କଣ୍ଠଶିଳ୍ପୀ ସର୍ବାଣୀ ଦାସ ଓ ସନ୍ୟାସୀ ନାୟକ କବିତା ଆସର ସଂଯୋଜନା କରିଥିଲେ । ସାହିତ୍ୟ, କଳା ସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ଓଡିଶୀ ନୃତ୍ୟାଙ୍ଗନା ସୁଦତ୍ତା ସାୟଂସ୍ନାତା ମିଶ୍ର ନବଦୁର୍ଗା ନୃତ୍ୟ ନିଖୁଣ ଭାବେ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସଦାଶିବ ବରାଳ, ବିଜୟ ଚନ୍ଦ୍ର ସାମନ୍ତରାୟ, ସୁଧୀର ସ୍ୱାଇଁ, ହେମେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ବିଶ୍ଵାଳ ଓ ବିଶ୍ଵନାଥ ପଟ୍ଟନାୟକଙ୍କ ସହଯୋଗରେ ମାନସ ରଞ୍ଜନ ପଟ୍ଟନାୟକ, ରମେଶ ଚନ୍ଦ୍ର ପଲେଇ ଓ ରବୀନ୍ଦ୍ରନାଥ ଷଡ଼ଙ୍ଗୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶ୍ରୀମତୀ ପାର୍ବତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।