
- ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ଜୋରିମାନା
- ଜୋରିମାନା ଅନାଦେୟ ହେଲେ ଆହିରୁ ଏକ ବର୍ଷ ଜେଲଦଣ୍ଡ
କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ କୁମାର ନାୟାରଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ ଗୁରୁବାର ଦିନ ପ୍ରକାଶ ପାଇଛି । ମାନ୍ୟବର ଅଦାଲତଙ୍କ ରାୟ ମତେ ୫ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ମଧ୍ୟ ରହିଛି । ଅଭିଯୁକ୍ତମାନେ ଜୋରିମାନା ଅନାଦେୟ ହେଲେ ଆହୁରି ଏକ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା କୁଲିଆଦର ଗ୍ରାମର ଡୋଳାମଣି ବନଛୋର ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗରେ ସେହି ଗ୍ରାମର ଗୋବିନ୍ଦ ନାୟକ ଓ ଅନ୍ୟ ଚାରିଜଣ ଅଭିଯୋଗକାରୀ ଡୋଳାମଣି ବନଛୋରଙ୍କ ଭାଇ ଶଶି ବନଛୋରଙ୍କୁ ଘରୁ ଡାକି ନେଇ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଶଶି ବନଛୋରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଡୋଳାମଣି କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତତ୍କାଳିନ ଥାନା ଆଇ.ଆଇ.ସି. ଜ୍ୟୋର୍ତିମୟ ଭୁକ୍ତା ଥାନା କେସ ନଂ. ୩୬/୨୦୧୭ ଦଫା ୧୪୭/୧୪୮/୩୦୨/୧୨୦(ବି)/୧୪୯ ଆଇ.ପି.ସି. ରୁଜୁ କରି ଅଧିକ ତଦନ୍ତ ଚଲାଇଥିଲେ । ଉକ୍ତ କେସର ସେସନ୍ସ କେସ ନଂ. ୩୬/୨୦୧୭ମତେ ମାନ୍ୟବର ଅଦାଲତ ଗୁରୁତ୍ୱ ପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତ ଅଲେଖ ଓରଫ ଘନଶ୍ୟାମ ତାଣ୍ଡି, ଗୋବିନ୍ଦ ତାଣ୍ଡି, ଲାଲମୋହନ ତାଣ୍ଡି, ଜଗ ତାଣ୍ଡି ଓ ବିଜୁ ଓ ବିଟୁ ସଗରିଆ ସମସ୍ତ ନିବାସୀ କୁଲିଆଦରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଫା ୩୦୨/୧୪୯ ଆଇ.ପି.ସି.ରେ ଜଣ ପିଛା ଟ. ୫୦୦୦ଙ୍କା ଜୋରିମାନା ଏହିପରି ମୋଟ ଟ.୨୫,୦୦୦/-ଙ୍କା ଦଣ୍ଡିତ କରିଥିବା ବେଳେ ଜୋରିମାନା ଟଙ୍କା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ କୁମାର ନାୟର ନିଜ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ (କେଡର) ଶ୍ରୀମତୀ ସେଲିନ କିଣ୍ଡୋ ପରିଚାଳନା କରୁଥିଲେ ।