
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନିକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଣଦେଖା ଓ ଅବହେଳା ଯୋଗୁଁ କୁତୁର୍ଲା ପଂଚାୟତର ମୁରସିଂ ଓ ପର୍ଶୁପାଲି ଗାଁକୁ ପିଇବା ପାଣି ଯୋଗାଣରେ ଘୋର ଅବ୍ୟବସ୍ଥା ଦେଖାଦେଇଥିଲା । ୨୦୨୪ ମସିହା ପୂର୍ବରୁ ପିଇବା ପାଣି ପାଇଁ ନିର୍ମିତ ଓଭରହେଡ ଟେଙ୍କର ଲୋକାର୍ପଣ ତତ୍କାଳିନ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଥିଲେ ହେଁ ନିର୍ବାଚନ ପରେ ଜାଣିଶୁଣି ଜଳଯୋଗାଣ କ୍ଷେତ୍ରରେ ଅବହେଳା କରାଯାଇଥିବା ଲୋକେ ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ସେ ରାସ୍ତାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ମୁରସିଂ ଓ ପର୍ଶୁପାଲି ଲୋକେ ଏ ପ୍ରଶାସନିକ ଅବହେଳାକୁ ନେଇ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଥିଲେ । ସେ ସମୟରେ ତୁରନ୍ତ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରି ଓଭରହେଡ ଟେଙ୍କରୁ ଯେମିତି ପିଇବା ପାଣି ସୂଚାରୁ ରୂପେ ଲୋକେ ପାଇପାରିବେ ସେ ଉପରେ ଏକ ଡିପ୍ ବୋରୱେଲ ଖନନ ଏବଂ ଦୁଇଟି ହେଣ୍ଡପମ୍ପ ବୋରୱେଲ ବସାଇବା ପାଇଁ କହିଥିଲେ । ଯାହାକି ଅଭିଯୋଗର ଗୋଟିଏ ସପ୍ତାହ ମଧ୍ୟରେ ବିଭାଗ ତରଫରୁ ପଦକ୍ଷେପ ନିଆସରିଛି । ଏହାକୁ ନେଇ ଗତକାଲି ମୁରସିଂ ଗାଁରେ ଏକ ସାଧାରଣ ସଭାକରି ସ୍ଥାନୀୟ ଅଧିବାସୀମାନେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ ପିଇବା ପାଣି ସମାଧାନ ହୋଇଯାଇଥିବାରୁ ଉଭୟ ପର୍ଶୁପାଲି ଓ ମୁରସିଂ ଗ୍ରାମବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ । ସଭାରେ ଉପସ୍ଥିତ ଗାଁ ବାସୀ ଆହୁରି କିଛି ମୌଳିକ ସୁବିଧାକୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ କରିଥିଲେ ଯାହାକି ଶ୍ରୀ ମିଶ୍ର ସମସ୍ୟାକୁ ନେଇ ଲିଖିତ ଆକାରରେ ଜଣାଇଲେ ତାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ଅସୀତ କୁମାର ମିଶ୍ର, ଇସମାଇଲ ସୁନା, ପଙ୍କଜିନୀ ଛତ୍ରିଆ, ଦୟା ତ୍ରିପାଠୀ, ପ୍ରତାପ ବାଗ, ପଦ୍ମନ ଛତ୍ରିଆ, ବିବିଧ ବାଗ, ଶଶିକାନ୍ତ ପଟେଲ, ସୁରେନ୍ଦ୍ର ନାଗ, ସନ୍ତୋଷ ବାଗ, ଆହ୍ଲାଦ ବାଗ, ପ୍ରହଲ୍ଲାଦ ବାଗ, ପ୍ରଶନ୍ନ ନାଗ, ସଂଜିବ ନାଗ, ପ୍ରଦୀପ ପ୍ରଧାନ, ଗଣ୍ଡାରାମ ପ୍ରଧାନ, ନୀଳ ପ୍ରଧାନଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।