ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ : ଯୁବକଙ୍କୁ କଚାଡି ଫିଙ୍ଗିଲା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳର ଝିରିପାଣି ସେକ୍ସନରେ କିଛିଦିନ ବ୍ୟବଧାନରେ ପୁଣି ଦେଖୁବାକୁ ମିଳିଛି ଗଜରାଜଙ୍କ ଆତଙ୍କ । ଘଟଣାରୁ ପ୍ରକାଶ ଯେ, ମେରଦୀକୂପା ଗ୍ରାମର ଜଣେ ବ୍ୟକ୍ତି ତରୁଣ ପାତ୍ର (୩୭) ଶନିବାର ଏକ ବ୍ୟକ୍ତିଗତ କାର୍ଯ୍ୟରେ କାଉଁଗୁଡା ଗ୍ରାମକୁ ଆସିଥିଲେ ସମୟ ପ୍ରାୟ ସନ୍ଧ୍ୟା ୭ଘଣ୍ଟା ହୋଇଥିଲା । ମେରଦୀକୂପ ଠାରୁ କାଉଁଗୁଡା ନିଜ ଶଶୁର ଘରକୁ ଆସୁଥିବା ସମୟରେ ଝିରିପାଣି ପଞ୍ଚାୟତର କିଡଙ୍ଗା ଗ୍ରାମ ଏକ ପୋଲ ପାଖରେ ହଠାତ ହାତୀ ସହ ମୁହାଁମୁହିଁ ହୋଇଥିଲେ ତରୁଣ । ହଠାତ ହାତୀପଲ ଦେଖି ନିଜ ସୁରକ୍ଷା ନିମନ୍ତେ କୌଣସି ଉପାୟ ପାଇନଥିଲେ । ହାତୀଟି ତରୁଣଙ୍କ ପାଖକୁ ଆସି ତରୁଣ ଏବଂ ତାଙ୍କ ମଟର ସାଇକେଲକୁ କଚାଡି ଦେଇ ପ୍ରବଳ ମାତ୍ରାରେ ଗଜରାଜ ଦେଇଥିଲେ ଗର୍ଜନ । ଗୁରୁତର ଆହତ ତରୁଣ ହାତୀର ଗର୍ଜନ ଶୁଣି ଜୀବନ ବିକଳରେ ଘୁଷୁଡ଼ି ଘୁଷୁଡ଼ି ଏକ ପୋଲ ତଳକୁ ଯାଇ କିଛି ସମୟ ଆତ୍ମ ଗୋପନ କରିଥିଲେ କିଛି ସମୟ ପରେ ତରୁଣ ନିଜ ସ୍ତ୍ରୀଙ୍କୁ ଫୋନ୍ ମାଧ୍ୟମରେ ଘଟଣା ସମ୍ପର୍କରେ କହିଥିଲେ । କାଉଁଗୁଡା ଗ୍ରାମବାସୀ ଏବଂ ତରୁଣଙ୍କ ସ୍ତ୍ରୀ ମିଶି ତରୁଣଙ୍କ ପାଖରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କୁ ଦେଖି ହାତୀପଲ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଏହା ପରେ ପୋଲ ତଳୁ ଗୁରୁତର ଆହତ ତରୁଣଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ବର୍ତ୍ତମାନ ତରୁଣ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବଳେ ତାଙ୍କର ବାମପଖ ଛାତି, ପିଠି, ଗୋଡ଼, ହାତର ଆଘାତ ହୋଇଥିବା ହେତୁ ନିଶ୍ୱାସ ପ୍ରଶ୍ୱାସ ଏବଂ କଥା କହିବାରେ କଷ୍ଟ ହେଉଥିବା ବିଷୟ ପରିବାର ଲୋକେ କହିଛନ୍ତି । ହେଲେ ଏଠି ପ୍ରଶ୍ନ ଉଠୁଛି ଯେ, ବିଗତ ଦିନରେ ଝିରିପାଣି ଅଞ୍ଚଳରେ ଦୁଇ ଦୁଇଟି ହାତୀର ମୃତ୍ୟୁ ହୋଇଥିଲେ ମଧ୍ୟ ବନବିଭାଗର ବର୍ତ୍ତମାନ ସୁଦ୍ଧା ଖାମଖିଆଲ ନୀତି ଚାଲିଛି ବୋଲି ଝିରିପାଣି ଗ୍ରାମବାସୀ କହିଛନ୍ତି । ଏବେ ସେହି ଜଙ୍ଗଲରେ କେତୋଟି ହାତୀ ଅଛନ୍ତି, ହାତୀର ଗତିପଥ କେଉଁଆଡେ ଅଛି ତାହାର ଖବର ବନବିଭାଗ ପାଖରେ ନଥିବା ଘୋର ପରିତାପର ବିଷୟ ପାଲଟିଛି । ଯଦି ଆଗାମୀ ଦିନରେ ହାତୀ ଗତିପଥ ଏବଂ ଯଦି ହାତୀ ଗାଁ ମୁହାଁ ହେଉଛି ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ ନ ଯାଏ ତେବେ ଗ୍ରାମବାସୀଙ୍କର ଯାହା କିଛି ଅଘଟଣ ଘଟିବ, ସେଥିପାଇଁ ବନବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.