ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଅମୃତପିଢ଼ି ସାରସ୍ୱତ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଶନିବାର ଦିନ ଏକ ଦ୍ୱିବିଧ ସାରସ୍ୱତ ଓ ସାମାଜିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି । ଦିବସର ପ୍ରଥମ ଅଧିବେଶନରେ “ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ଅଭିଳାଷ ମହାନ୍ତି ସାମ୍ପ୍ରତିକ ସମୟରେ ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମଗ୍ର ସଭା କାର୍ଯ୍ୟକୁ ଡ. ସରୋଜ କୁମାର ନାଏକ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଶେଷରେ ଡ. ପ୍ରଦୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଦ୍ୱିତୀୟ ଅଧିବେଶନ “ଅମୃତପିଢ଼ି ସାରସ୍ୱତ ସମାରୋହ” ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର ଓ ପ୍ରମୋଦ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ । ଏହି ଅବସରରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା । ଯେଉଁଥିରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, କ୍ୟାପଟେନ ଜୟ କୁମାର ଭୁଏ, ପ୍ରଦୀପ କୁମାର ଭୁଏ, ଦୟାନିଧି ବଗର୍ତ୍ତୀଙ୍କ ସମେତ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ନିଜ ନିଜର ସ୍ୱରଚିତ କବିତା ପାଠ କରି ସମ୍ମିଳନୀ କକ୍ଷକୁ ଭାବମୟ କରି ତୋଳିଥିଲେ । ପରିଶେଷରେ ଅଧ୍ୟାପିକା ପୂର୍ଣ୍ଣମା ଦୋରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମହାବିଦ୍ୟାଳୟର ଏହି ଦୁଇଟି ଯାକ ଶିକ୍ଷଣୀୟ ଓ ସାରସ୍ୱତ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେଇଛି ।

Leave A Reply

Your email address will not be published.