ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଏକଦିବସୀୟ ଆଲୋଚନା ଚକ୍ର

  • “ଓଡ଼ିଶାର ବରପୁତ୍ରମାନଙ୍କ ଲହୁ ଓ ଲୁହରେ ଗଢ଼ା ଏ ଜାତିର ଇତିହାସ, ସ୍ଵାଭିମାନ ଓ ଅସ୍ମିତା”

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଓଡ଼ିଶାର ବନ୍ଦନୀୟ ବରପୁତ୍ରଙ୍କ ଜୀବନୀ ଓ ସୃଷ୍ଟିସମ୍ଭାର ସଂପର୍କରେ ଏକ ଆଲୋଚନା ଚକ୍ର ଏବଂ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ୱ କରିବା ସହିତ ଓଡ଼ିଆ ଜାତିର ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ ବିଶିଷ୍ଟ କବି ଡକ୍ଟର ପ୍ରହଲ୍ଲାଦ ଶତପଥୀ ଯୋଗଦେଇ ଓଡ଼ିଆ ପକ୍ଷ ପାଳନ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ଓଡ଼ିଶାର ବରପୁତ୍ରମାନଙ୍କ ଜୀବନ ସଂଗ୍ରାମ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କର ନିଜସ୍ୱ ସୃଜନ ଯାତ୍ରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଲେଖକ ତଥା ସାରସ୍ୱତ ସଂଗଠକ ରାଜେଶ ଝାଙ୍କର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ବରପୁତ୍ରମାନଙ୍କ ବିଚାରର ପ୍ରାସଙ୍ଗିକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ମଞ୍ଚ ପରିଚାଳନା କରିବା ସହିତ ଓଡ଼ିଆ ପକ୍ଷ ପାଳନର ମହତ୍ୱ, ଅଭିଲକ୍ଷ୍ୟ ଏବଂ ଓଡ଼ିଆ ଜାତିର ଯୁଗଜନ୍ମା ବରପୁତ୍ରମାନଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଯଥାକ୍ରମେ ଅଧ୍ୟାପକ ହୃଷୀକେଶ ଦାସ ଓଡ଼ିଆ ଜାତୀୟତା ଓ ଉତ୍କଳ ଗୌରବ ମଧୁସୂଦନ ଦାସ, ଅଧ୍ୟାପକ ଡକ୍ଟର ଅଶୋକ ମହାରଣା ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଅଧ୍ୟାପିକା ରମଣୀ ନାଏକ ଜାତୀୟତାବାଦୀ ଓଡ଼ିଆ କବିତା ସଂପର୍କରେ ଗଭୀର ଆଲୋଚନା କରିଥିଲେ । ପରିଶେଷରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନିମନ୍ତ୍ରିତ ଅତିଥି, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ସ୍ୱରଚିତ ଏବଂ ଯୁଗଜନ୍ମା କବିଙ୍କ ଦ୍ଵାରା ରଚିତ କବିତା ପାଠ କରିଥିଲେ । ପରିଶେଷରେ ଅଧ୍ୟାପକ ସୁମନ୍ତ ରଣା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.