କୋଶଳାଞ୍ଚଳ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ବଜେଟ୍‌ ଆଣନ୍ତୁ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳାଂଚଳ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ବଜେଟ୍‌ ଆଣନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ନିକଟ ଅତୀତରେ କେନ୍ଦ୍ର ସରକାର କେନ୍ଦ୍ର ବଜେଟ୍‌ ଓ ରେଳବାଇ ବଜେଟ୍‌ ଆଗତ କରିଛନ୍ତି । ରେଳବାଇ ବଜେଟ୍‌ରେ ବଲାଙ୍ଗିର ଖୋର୍ଦ୍ଧା ରେଳପଥ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ ବରାଦ କରାଯିବା ଆନନ୍ଦର ବିଷୟ ହୋଇଥିଲେ ସୁଦ୍ଧା କୋଶଳାଞ୍ଚଳର ଅନ୍ୟାନ୍ୟ ରେଳ ପ୍ରକଳ୍ପ ସମ୍ବନ୍ଧିତ ଦାବୀ ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବାର ଅନେକ କଥା କୁହାଯାଇଥିଲେ ମଧ୍ୟ ତାହା ଜଣାପଡ଼ି ନାହିଁ । ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ କେନ୍ଦ୍ର ସାଧାରଣ ବଜେଟ୍‌ରେ କୌଣସି ନିର୍ଦ୍ଧିଷ୍ଟ ବ୍ୟୟ ବରାଦ କରା ନ ଯିବା ଏକ ଆଶ୍ଚର୍ଯ୍ୟର ବିଷୟ । ଏଭଳି କି ଦୀର୍ଘ ଦିନ ଧରି ଚାଲିଥିବା କେ.ବି.କେ ଯୋଜନା, ଯାହକୁ ବସ୍ତୁତଃ ବହୁ ଦିନ ହେଲା ବନ୍ଦ କରିଦିଆ ଗଲାଣି ତାର ପୁନରୁଦ୍ଧାର ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ । ଦେଶର ୭୧୮ ଟି ଜିଲ୍ଲା ମଧ୍ୟରୁ ସର୍ବାଧିକ ରୂପେ ଅବହେଳିତ ଓ ଅନୁନ୍ନତ ଜିଲ୍ଲା ସବୁ କୋଶଳାଞ୍ଚଳରେ ରହିଛି । ସବୁ ପ୍ରକାର ଅର୍ଥନୈତିକ ଉତ୍ସ ଥିବା ସତ୍ତେ୍ୱ ଏ ଅଞ୍ଚଳ ଓଡ଼ିଶା ରାଜ୍ୟ ପ୍ରଶାସନର କ୍ରମାଗତ ଅବହେଳା ଓ ଅବିଚାର ଯୋଗୁଁ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର ହୋଇଛି । ଏ ବିଷୟ ମାନ୍ୟବର ସୁପ୍ରିମ କୋର୍ଟ, କେନ୍ଦ୍ର ମାନବାଧିକାର କମିଶନ, ଦେଶର ନୀତି ଆୟୋଗ ଓ ନିଜେ କେନ୍ଦ୍ର ସରକାର ଅବଗତ ଥିବାରୁ ଏ ଅଞ୍ଚଳର ମୁକ୍ତି ଓ ବିକାଶ ପାଇଁ କେନ୍ଦ୍ରର ସାଧାରଣ ବଜେଟ୍‌ରେ କିଛି ବ୍ୟବସ୍ଥା ରହିବ ବୋଲି ଆଶା ପ୍ରକାଶ କରାଯାଉଥିଲା । କିନ୍ତୁ ନିର୍ଦ୍ଧିଷ୍ଟ ଭାବରେ କେନ୍ଦ୍ରର ସାଧାରଣ ବଜେଟରେ ଏ ସମ୍ପର୍କିତ କୌଣସି ବ୍ୟବସ୍ଥା ନ ଥିବାରୁ କୋଶଳାଞ୍ଚଳର ଦୁଇ କୋଟି ଲୋକ ହତୋତ୍ସାହିତ ହୋଇଛନ୍ତି । ଆଗାମୀ ଦିନରେ ପ୍ରତି ବର୍ଷ ଭଳି ଓଡ଼ିଶା ରାଜ୍ୟ ସରକାର ମଧ୍ୟ ତାଙ୍କ ବଜେଟ୍‌ ଆଗତ କରିବେ । ଓଡ଼ିଶା ରାଜ୍ୟ ବଜେଟରେ ସବୁବେଳେ କେବଳ ଉପକୂଳ ଓଡ଼ିଶାର ବିକାଶ ପାଇଁ ବ୍ୟବସ୍ଥା କରାଯିବା ସହ କୋଶଳାଞ୍ଚଳକୁ ଅବହେଳା ପ୍ରଦର୍ଶନ କରାଯାଏ । ଏଅଞ୍ଚଳରୁ ଖଜଣା, ଜଳକର ତଥା ଅନ୍ୟାନ୍ୟ ସରକାରୀ ମାହାସୁଲ ପ୍ରଚୁର ମାତ୍ରାରେ ସଂଗୃହୀତ ହୋଇ ରାଜ୍ୟ ସରକାରଙ୍କ ପାଖକୁ ଯାଏ । କେନ୍ଦୁପତ୍ର ଓ ଅନ୍ୟାନ୍ୟ ଜଙ୍ଗଲଜାତ ସାମଗ୍ରୀ ତଥା ଖଣିଜଦ୍ରବ୍ୟ ଓ ଅନ୍ୟାନ୍ୟ ବିଷୟରୁ ଯଥେଷ୍ଟ ଅର୍ଥ ପ୍ରତିବର୍ଷ ଓଡ଼ିଶା ରାଜସ୍ୱକୁ ଯାଉଛି । କିନ୍ତୁ ଏ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା ନ କରି ସେହି ଅର୍ଥ ସବୁକୁ ଉପକୂଳ ଓଡ଼ିଶାର ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି । ବାସ୍ତବରେ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ନ ହେଲେ ଏ ଅଞ୍ଚଳର ସମସ୍ୟାର ସମାଧାନ ହୋଇପାରିବ ନାହିଁ । କିନ୍ତୁ ରାଜ୍ୟ ଗଠନ ହେଲା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସରକାର କୋଶଳାଞ୍ଚଳ ପାଇଁ ଯଦି ସ୍ୱତନ୍ତ୍ର ବଜେଟ୍‌ ଆଗତ ନ କରନ୍ତି ତାହେଲେ ଏ ଅଞ୍ଚଳର ସାମାନ୍ୟତମ ବିକାଶ ମଧ୍ୟ ହୋଇ ପାରିବ ନାହିଁ । ସେଥିପାଇଁ ରାଜ୍ୟ ବଜେଟ୍‌ ଆଗତ କଲା ବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବରେ କୋଶଳାଞ୍ଚଳ ପାଇଁ ବଜେଟ୍‌ ଆଗତ କରନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି । ଏଥିପାଇଁ ଆବଶ୍ୟକ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.