ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲର ସମ୍ମିଳନୀ କକ୍ଷରେ ରବିବାର ଦିନ ବଲାଙ୍ଗିର ନାଗରିକ କମିଟିର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଗହଣରେ ପ୍ରଥମ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ତତ୍‌ ପୂର୍ବରୁ ସହ-ନିର୍ବାଚନ ଅଧିକାରୀ ଅଶୋକ ଚାନ୍ଦ ଏବଂ ହରେକୃଷ୍ଣ ପଟେଲଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ନରେନ୍ଦ୍ରନାଥ ମିଶ୍ର ଗତ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଫଳାଫଳ ଔପଚାରିକତା ଦୃଷ୍ଟିରୁ ଘୋଷଣା କରିଥିଲେ । ଏଥିରେ ଡ. ଶ୍ରୀକର ମିଶ୍ର ସଭାପତି ଭାବରେ ଓ ମଧୁସୂଦନ ନାୟକ ସଂପାଦକ ଭାବରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ସେହିପରି ଉପ-ସଭାପତି ଭାବରେ ନିତ୍ୟାନନ୍ଦ ମିଶ୍ର ଓ କୋଷାଧ୍ୟ୍ୟକ୍ଷ ଭାବରେ ତ୍ରିନାଥ ସାହୁ, ଯୁଗ୍ମ-ସଂପାଦକ ଭାବରେ ସୁନିଲଚନ୍ଦ୍ର ବିଶ୍ୱାଳ ଓ ଯୁଗ୍ମ-କୋଷାଧ୍ୟକ୍ଷ ଭାବରେ ସତ୍ୟବାଦୀ ନାଏକ ନିର୍ବାଚିତ ହୋଇଥିବା ପ୍ରକାଶ କରିଥିଲେ । ଏତତ୍‌ ବ୍ୟତିତ ୧୫ଜଣ କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରଦୀପ ସାହୁ, ପ୍ରଫେସର ତରୁଣ କୁମାର ମିଶ୍ର, ଅନିଲ କୁମାର ନନ୍ଦ, ପ୍ରକାଶ ନେପାକ, ସୁମିତ ରଂଜନ ପୁରୋହିତ, ଅଂକୁଶ ପାଣ୍ଡିଆ, ଗୋପବନ୍ଧୁ ପୁରୋହିତ, ବିନୋଦ ବିହାରୀ ପାଣିଗ୍ରାହୀ, ଡା. ପ୍ରମୋଦ କୁମାର ମିଶ୍ର, ଶରତ କୁମାର ମହାକୁର, ମହେନ୍ଦ୍ର କୁମାର ଦର୍ଜି, ଚନ୍ଦ୍ରମଣୀ ଭାଟି, ମୋତିଲାଲ ସାହୁ, ପ୍ରଫୁଲ୍ଲ କୁମାର ମିଶ୍ର ଓ ପିତାମ୍ବର ବନଛୋର ନିର୍ବାଚିତ ହୋଇଥିବା ଜଣାଇଥିଲେ । ବିଧି ବ୍ୟବସ୍ଥା ଅନୁଯାୟୀ କମିଟିର ବରିଷ୍ଠ ସଦସ୍ୟ ପଦ୍ମଚରଣ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ମିଶ୍ର ଓ ହେମନ୍ତ କୁମାର ବେହେରା ଉପସ୍ଥିତ ଥିବା ନବନିର୍ବାଚିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜ ପଦର ମର୍ଯ୍ୟାଦା ଓ ଗୋପନୀୟତାକୁ ସମ୍ମାନ ଜଣାଇ ତାଙ୍କ ଉପରେ ନ୍ୟସ୍ତଥିବା ସମସ୍ତ ଦାୟିତ୍ୱ ନିଷ୍ଠାର ସହ ସଂପାଦନ କରିବା ପାଇଁ ଶପଥପାଠ କରାଇଥିଲେ । ଶପଥପାଠ ପରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ଗତ ଦ୍ୱିବାର୍ଷିକ ରିପୋର୍ଟସହ ସାଧାରଣ ସଭା ଓ କାର୍ଯ୍ୟକାରୀ କମିଟି ସଭା ବିବରଣୀ, ଆୟବ୍ୟୟ ହିସାବ ସହ ବାଇ-ଲ ଥିବା ୧୦୦ପୃଷ୍ଠାର ଏକ ପୁସ୍ତକ ସମସ୍ତଙ୍କୁ ଦିଆଯାଇ ତାର ସାଂରାଶ ସମସ୍ତଙ୍କୁ ଅବଗତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୯ଦଫା ଦାବୀରୁ ୪ଟି ଦାବୀ ପୂରଣ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ତନ୍ମମଧ୍ୟରୁ ବଲାଙ୍ଗିରରେ ଇଂଜିନିୟରିଂ କଲେଜ, କୃଷି ମହାବିଦ୍ୟାଳୟ, ତୁଷୁରା ଏୟାରଷ୍ଟ୍ରିପର ଉନ୍ନତିକରଣ ଓ ଆ.ଟି. ପାର୍କ ଅନ୍ୟତମ । ପୁନଶ୍ଚ ରେଲୱେର ପିଟ୍‌ ଲାଇନ ସହ ନୂତନ ଟ୍ରେନ ଚାଲିବା ଆଦି ବିଭିନ୍ନ ଦାବୀ ବିଚାରାଧିନ ଥିବା କତ୍ତୃପକ୍ଷ ଜଣାଇଥିବା କଥା ସଭାପତି ସଭାରେ ପ୍ରକାଶ କରିଥିଲେ ଏବଂ ଏଣୁ ଏଣିକି ଦୀର୍ଘ ମିଆଦି ଯୋଜନା ତଥା ସ୍ୱଳ୍ପ ମିଆଦି ଯୋଜନା ତିଆରି କରି ନାଗରିକ କମିଟି, ବଲାଙ୍ଗିରର ଉନ୍ନତି ପାଇଁ ଆଗକୁ ବଢିବ ବୋଲି ଜଣାଇଥିଲେ । ବିଭିନ୍ନ ପ୍ରସଙ୍ଗ ଭିତରେ ବାଇ-ଲ ସଂଶୋଧନ, ସରକାରୀ କର୍ମଚାରୀ ସଭ୍ୟ ହେବା ଆଦି ବିଷୟ ଆଲୋଚନା ହୋଇଥିଲା ଏବଂ ଏଥିରେ ଜେନେରାଲ ବଡି ମିଟିଙ୍ଗର ନିଷ୍ପତ୍ତି ଚୂଡାନ୍ତ ଓ ସର୍ବମାନ୍ୟ ବୋଲି ସଭାପତି ସଂପୃକ୍ତ ଆଇନର ଧାରା ଉଲ୍ଲେଖ କରି ସଭାରେ ଜଣାଇଥିଲେ । ଦ୍ୱିତୀୟବାର ନବନିର୍ବାଚିତ ସଭ୍ୟ ପ୍ରଦୀପ ସାହୁ, ସଭାରେ ଅନ୍ୟ ପ୍ରସଙ୍ଗ ନ ପକାଇ ବଲାଙ୍ଗିରର ଉନ୍ନତି କିପରି ହେବ ସେ ବିଷୟରେ କେବଳ ଆଲୋଚନା କରିବାପାଇଁ ଅନୁରୋଧ କରିଥିଲେ । ଶେଷରେ ସଂପାଦକ ମଧୁସୂଦନ ନାୟକ ଗତ ୨ବର୍ଷ ଭିତରେ ବହୁତ କାମ ହୋଇଛି ଏବଂ ଅନେକ କାମ କରିବାକୁ ଅଛି ଯାହାକି ସମସ୍ତଙ୍କ ସହଯୋଗରେ ହୋଇପାରିବ ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.