ବଲାଙ୍ଗିର, (କେପିଏନ୍ଏସ୍) : ଗଣତନ୍ତ୍ରର ମୂଳମନ୍ତ୍ର ହେଲା ଶିକ୍ଷା । ଶିକ୍ଷା ଅନୁଷ୍ଠାନ ଶିଶୁର ସୁନାଗରିକ ସୃଷ୍ଟି କରିଥାଏ । ସମାବର୍ତ୍ତନ ଉତ୍ସବ ଯେକୌଣସି ଅନୁଷ୍ଠାନ ପାଇଁ ଏକ ସମ୍ମାନ ଓ ଯଶର ଉତ୍ସବ ଅଟେ । କୁନି କୁନି ପିଲାମାନଙ୍କ ମନ ଭିତରେ ଏହି ଉତ୍ସବ ବିଷୟରେ ଅନୁଭୂତି ପ୍ରଦାନ କରିବା ଏବଂ ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ଗ୍ରାଜୁଏସନ୍ ଡେ ର ଆୟୋଜନ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ପ୍ରି -ପ୍ରାଇମେରୀ ବିଭାଗ ହେଲୋ କିଡ଼ସର ଛାତ୍ର, ଛାତ୍ରୀ ତଥା ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇ ଉତ୍ସବଟିକୁ ମନଭରି ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ର, ଛାତ୍ରୀମାନଙ୍କର ସ୍ୱାଗତ ଓ ରେଜିଷ୍ଟ୍ରେସନ କରାଯାଇଥିଲା । ତା’ପରେ ମୁଖ୍ୟ ଅତିଥି ସହରର ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡ. ତୁଷାର ଠାକୁରଙ୍କ ଦ୍ୱାରା ଦୀପ ପ୍ରଜ୍ୱଳିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପାଧ୍ୟକ୍ଷା ଡ. ପୂଣ୍ୟତୋୟା ବିଶ୍ୱାଳ, ହେଲୋ କିଡ଼ସ ବିଭାଗର ଅଧ୍ୟକ୍ଷା ଶ୍ରୀମତୀ ସୋନିକା ତ୍ରିପାଠୀ ଓ ଅନ୍ୟାନ୍ୟ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପିଲାମାନଙ୍କର ମାର୍ଗଦର୍ଶନ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ପାଇଁ ଉଦବୋଧନ ଦେଇଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା । ଏହି କ୍ରମରେ ପ୍ରଥମେ ସାମୂହିକ ନୃତ୍ୟ, ଅଭିଭାବକ ମାନଙ୍କ ସହ ନୃତ୍ୟ, ଅଭିଭାବକ ମାନଙ୍କର ସ୍ୱତନ୍ତ୍ର ନୃତ୍ୟ ପରିବେଷଣ ହୋଇଥିଲା । ଏହାପରେ ଛାତ୍ର, ଛାତ୍ରୀଙ୍କର ମାର୍ଚ୍ଚ ପାଷ୍ଟ ଓ ବକୃତାର ପର୍ଯ୍ୟାୟ ହୋଇଥିଲା । ଏହା ପରେ ଅଭିଭାବକମାନଙ୍କ ବକ୍ତବ୍ୟ ଓ ଛାତ୍ର, ଛାତ୍ରୀମାନଙ୍କର ଶପଥ ଗ୍ରହଣ ସମାରୋହ ସମାପିତ ହୋଇଥିଲା । ଏହାପରେ ପୁରସ୍କାର ବିତରଣ ଉତ୍ସବ ଓ କେକ କଟିଙ୍ଗ ପର୍ଯ୍ୟାୟ ହୋଇଥିଲା । ପରିଶେଷରେ ପ୍ରି – ପ୍ରାଇମେରୀ ବିଭାଗର ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବକ୍ତବ୍ୟ ପ୍ରଦାନ ପର୍ଯ୍ୟାୟ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମଟି ସମାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର, ଛାତ୍ରୀମାନଙ୍କୁ ସମାବର୍ତ୍ତନ ଉତ୍ସବ ବିଷୟରେ ଅବଗତ କରିବା ସହ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବାରେ ସହାୟକ ହେବ । ବାସ୍ତବରେ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ ଅଟେ ।