ଗଞ୍ଜାମ ଜିଲ୍ଲାର ସୁନାପୁର ସ୍ଥିତ ବାହୁଦା ନଦୀ ମୁହାଣ ନିକଟରେ ଏକ ବିଶ୍ଵସ୍ତରୀୟ ବନ୍ଦର ନିର୍ମାଣ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୁନାପୁର ସ୍ଥିତ ବାହୁଦା ନଦୀ ମୁହାଣ ନିକଟରେ ରାଜ୍ୟର ସବୁଠାରୁ ବଡ଼ ପ୍ରସ୍ତାବିତ ବନ୍ଦରସ୍ଥଳୀକୁ ଶନିବାର ପୂର୍ବାହ୍ନରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସେହି ସ୍ଥାନର ସାମ୍ପ୍ରତିକ ସ୍ଥିତି, ପାରିପାର୍ଶ୍ଵିକ ପରିସ୍ଥିତି ଓ ନକ୍ସାର ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବିତ ବନ୍ଦର ଦେଶର ଏକ ବଡ଼ ବନ୍ଦରରେ ପରିଗଣିତ ହେବ । ଏହି ବିଶ୍ଵସ୍ତରୀୟ ବନ୍ଦର ନିର୍ମାଣ ପାଇଁ ପାଖାପାଖି ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ବନ୍ଦରରେ ବର୍ଷକୁ ୧୫୦ ମିଲିଅନ୍‌ ମେଟ୍ରିକଟନ୍‌ କାର୍ଗୋ ପରିବହନ କରିବାର କ୍ଷମତା ରହିଛି । ଏହି ବନ୍ଦରର ନିର୍ମାଣ ପାଇଁ ୨୦୨୫ ମସିହା ସେପ୍ଟମ୍ବର ୧୯ ତାରିଖରେ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଲିମିଟେଡ଼ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ତ୍ରି-ପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବନ୍ଦର ପାଇଁ ଆବଶ୍ୟକ ରହିଥିବା ଭିଜିବିଲିଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ ହୋଇସାରିଛି । ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଶା-ଆକାଂକ୍ଷାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇ ବନ୍ଦର ନିର୍ମାଣ ହେବ । ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଗଞ୍ଜାମବାସୀଙ୍କ ପାଇଁ ଅନେକ ସୁଯୋଗ ନେଇ ଆସିବ । ଏଠାରେ ହଜାର ହଜାର ଲୋକ ନିଯୁକ୍ତି ପାଇବା ସହ ଛୋଟବଡ଼ ଅନେକ ବ୍ୟବସାୟିକ ସୁଯୋଗ ନେଇ ଆସିବ। ଗଞ୍ଜାମ, ଆଖପାଖ ଜ଼ିଲ୍ଲାର ଲୋକେ ଉପକୃତ ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି କୁହାଯାଇଛି । ସବୁଠାରୁ ବଡ କଥା ସୁନାପୁର ଏବେ ବିଶ୍ୱମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି । ତା’ସହିତ ଅଞ୍ଚଳବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ କାର୍ଗୋ ପରିବହନରେ ଓଡିଶା ବିଶେଷ ଲାଭାନ୍ୱିତ ହେବ । କାରଣ ଜଳ ପଥରେ ନିର୍ଦ୍ୱନ୍ଦରେ ଓ ଯେକୌଣସି ସମୟରେ ଦ୍ରବ୍ୟ / ସାମଗ୍ରୀ ପରିବହନ ହୋଇପାରିବ । ଏହା ସହିତ ବନ୍ଦର ନିକଟରେ ଜାତୀୟ ରାଜପଥ ସହ ରେଳପଥ ରହିଛି, ତେଣୁ ସେଠାରୁ ଭୂପୃଷ୍ଠରେ ଦ୍ରବ୍ୟ / ସାମଗ୍ରୀ ପରିବହନରେ କୌଣସି ଅସୁବିଧା ହେବ ନାହିଁ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲାପରେ ରାଜ୍ୟର ବିକାଶ ଜୟଯାତ୍ରାରେ ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ବନ୍ଦର ପ୍ରମୁଖ ସାରଥୀ ସାଜିବ ବୋଲି ମନ୍ତ୍ରୀ କହିଛନ୍ତି । ବନ୍ଦରକୁ ପିପିପି ମୋଡରେ ନିର୍ମାଣ କରାଯିବ । ଏହାର ଅନେକ ସର୍ଭେ ସରିଥିବା ବେଳେ ବୈଷୟିକ ରିପୋର୍ଟ ମଧ୍ୟ ଆସିସାରିଛି । ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଡ଼ିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.