ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜାମପଦର ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୁଞ୍ଜବିହାରୀ କୁଅଁରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯୁଧିଷ୍ଟିର ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୁବନେଶ୍ୱର ସେଲମା, ସମାଜସେବୀ ରାଜ କିଶୋର ମଲ୍ଲିକ ଓ ମୁଖ୍ୟବକ୍ତା ଭାବେ କର୍ଲା ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ଯୋଗ ଦେଇଥିଲେ । ଶ୍ରୀ କୁଅଁରଙ୍କ ସମୟାନୁବର୍ତ୍ତିତା ଏବଂ ଶିଶୁଙ୍କ ପ୍ରତି ତାଙ୍କ ଉତ୍ସର୍ଗୀକୃତ ଭାବନାକୁ ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ନିଜ ଦୀର୍ଘ ଚାକିରି ଜୀବନର ଅନୁଭୂତି ବର୍ଣ୍ଣନା କରି ଶ୍ରୀ କୁଅଁର ଭାବପ୍ରବଣ ହୋଇପଡ଼ିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଢ଼ିହାରୀ କାର୍ଯ୍ୟକ୍ରମରେ ଶ୍ରୀ କୁଅଁରଙ୍କୁ ତାଙ୍କ ଅବସରକାଳୀନ ପେନସନ କାଗଜପତ୍ର ପ୍ରଦାନ କରିଥିବାରୁ ସମସ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଭୋଜରାଜ ପଧାନ ପରିଚାଳନା କରିଥିବାବେଳେ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଜାମପଦର ଗ୍ରାମବାସୀ ଓ ବାନ୍ଦୁପଳା ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।