- ଅଧୁରା ରହିଯିବ କି କୁଟାସିଂହା – କପାଶିରା ଅଙ୍ଗ ନଦୀ ସେତୁ ?
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗିର-ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡିବାକୁ କୁଟାସିଂହା-କପାଶିରା ମଧ୍ୟ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରାକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାର୍ଯ୍ୟ ଶେଷ କରିବାକୁ ସୂଚନା ଫଳକରେ ଉଲ୍ଲେଖ ରହିଥିଲା, ହେଲେ ୬ ମାସ ପୂର୍ଵରୁ ଗତ ୨୦୨୩ ଅଗଷ୍ଟ ମାସରୁ ସମ୍ପୃକ୍ତ ଠିକାଦାର ନିର୍ମାଣ କାମ ଅସମ୍ପୂର୍ଣ୍ଣ କରି କୌଣସି କାରଣରୁ ଛୁ ମାରିଛି । ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଏନେଇ ଠିକାଦାରଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଫୋନ ଲାଗୁନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ କାମ ବାକି ରହିଛି । ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ୍ୟ ପ୍ରକାଶିତ ହୋଇଛି । ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ସୋନପୁର ଜିଲ୍ଲାର ଜନ ସାଧାରଣ ଉପକୃତ ହେବେ । ବିଶେଷ କରି ସାଲେଭଟା, ପଟୁଆପାଲି, ଯୋଗୀସର୍ଡା, ବାଦିବାହାଲ, ମୂର୍ସୁନ୍ଧି, କପଶିରା, ଜୁଲୁଣ୍ଡା, ଲଛିପୁର, ଦିଗ୍ସିରା ଗ୍ରାମ ପଞ୍ଚାୟତର ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ । ଏ ଅଞ୍ଚଳର ଜଣସାଧାରଣ, ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧିଙ୍କ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି । ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅଧୁରା ରହି ଯିବ କି ଅଙ୍ଗନଦୀ ସେତୁ ବୋଲି ଲୋକଙ୍କ ମଧ୍ୟ୍ୟରେ ଆଶଙ୍କା ରହିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ୍ଣ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।