ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍ ଏସୋସିଏସନର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ହରିହର ହସପିଟାଲ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଇଭେଟ ଏଷ୍ଟାବ୍ଲିସମେଣ୍ଟ ଏସୋସିଏସନର ତୃତୀୟ ସାଧାରଣ ବୈଠକ ସହିତ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ ସଭାପତି ଡା. ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାଯ୍ୟକ୍ରମରେ ଡା. ସାହୁ ସ୍ୱାଗତ ଅଭିଭାଷଣ ଦେଲା ପରେ ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ୟ ଦେଇ ମଞ୍ଚକୁ ପାଛୋଟି ଆଣିଥିଲେ । ଟିଟିଲାଗଡ ଜୀବନ ଜ୍ୟୋତୀ ନର୍ସିଂ ହୋମର ମାଲିକ ତଥା କେନ୍ଦ୍ରୀୟ ସଦସ୍ୟ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସଂଘକୁ ଆହୁରି ମଝବୁତ କରିବା ସହ ସଂଘ କିପରି ଜିଲ୍ଲାର ସମସ୍ତ ଉପାନ୍ତ ଅଂଚଳକୁ ପହଞ୍ଚି ପାରିବ ସେ ଉପରେ କାମ କରିବାକୁ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ । ଭୀମ ଭୋଇ ମେଡିକାଲ କଲେଜର ସର୍ଜରି ସ୍ପେଶିଆଲିଷ୍ଟ ଡା. ବିପିନ କିଶୋର ବାରା ସମ୍ମାନୀତ ଅତିଥୀ ଭାବେ ଯୋଗଦାନ କରି ବର୍ତ୍ତମାନ ମେଡିକାଲ କଲେଜରେ ବିଭିନ୍ନ ନୂତନ ପ୍ରକକାର ସର୍ଜରି କରାଯାଉଥିବା ବେଳେ ସହରରେ ଉଚ୍ଚ ମାନର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟର ଆବଶ୍ୟକତା ରହିଛି । ସମସ୍ତ ସଦସ୍ୟ ନିଜ ଏଷ୍ଟାବ୍ଲିସମେଣ୍ଟକୁ ସରକାରୀ ନିୟମାନୁସାରେ ଉଚ୍ଚ ମାନର କରି ପାରିଲେ ଅଂଚଳର ରୋଗୀ ବିଶେଷ ଭାବେ ଉପକୃତ ହେବା ସହିତ ଖୋଦ କ୍ଲିନିକ ମାଲିକମାନେ ମଧ୍ୟ ଆତ୍ମ ସନ୍ତୋଷ ଲାଭ କରିବେ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟବକ୍ତା ରୂପେ ଏଡିମେଓ ପ୍ରଭାତ ରଥ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରି କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସ୍ଥାପନ ପ୍ରକ୍ରିୟାକୁ ସରକାର କିପରି ସରଳ କରିଛନ୍ତି । ଯଦ୍ୱାରା ଇଚ୍ଛୁକ ପ୍ରାର୍ଥୀ ଅତି ସହଜରେ ଏହାକୁ ପାଇ ପାରିବେ । ପୁର୍ବ ଭଳି ଏହା ଆଉ ସମୟ ସାପେକ୍ଷ ଓ ଜଟିଳ ହୋଇ ରହି ନାହିଁ । ତେଣୁ ଯେଉଁମାନେ ଏପର୍ୟ୍ୟନ୍ତ ନିଜର ଲାଇସେନ୍ସ କରି ନାହାନ୍ତି ସେମାନେ ଯଥା ଶୀଘ୍ର କରି ନିଅନ୍ତୁ , କୌଣସି ଅସୁବିଧା ହେଲେ ସେ ନିଜେ ସହାଯ୍ୟ କରିବାକୁ ଚେଷ୍ଟା କରିବେ ବୋଲି ସମସ୍ତଙ୍କୁ ପ୍ରତିଶୃତି ଦେଇଥିଲେ । ମଞ୍ଚାସିନ ଅତିଥିଙ୍କ ବକ୍ତବ୍ୟ ପରେ ବଲାଙ୍ଗିର ଭଳି ଅନୁନ୍ନତ ଅଂଚଳରେ ଉଚ୍ଚମାନର ସ୍ୱାସ୍ଥ୍ୟବ୍ୟବସ୍ଥା କିପରି ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ ହେବା ସହ ଏଦିଗରେ ପାଠ ପଢିଥିବା ଛାତ୍ରଛାତ୍ରୀଙ୍କୁ ଏକ ସମ୍ମାନନୀୟ ରୋଜଗାର ଯୋଗାଇବ ତାହା ଉପରେ ଏକ ସବିଶେଷ ଆଲୋଚନା ହୋଇଥିଲା । ପରେ ପରେ ସମସ୍ତ ସଦସ୍ୟଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାଯ୍ୟକ୍ରମରେ ନୂତନ କାର୍ୟ୍ୟକର୍ତ୍ତା ଚୟନ ହେବାକୁ ଥିବା ବେଳେ ସର୍ବ ସମ୍ମତି କ୍ରମେ ଆସନ୍ତା ବୈଠକ ପର୍ୟ୍ୟନ୍ତ ପୁରୁଣା କାଯ୍ୟକର୍ତ୍ତାମାନଙ୍କ ଉପରେ ହିଁ ସଂଗଠନର ଦାଇତ୍ୱ ବହନ କରିବେ ବୋଲି ସଂଗଠନ ଏକ ସ୍ୱରରେ ପ୍ରକାଶ କରିଥିଲା । ସଂଗଠନର ସଂପାଦକ ରାଜକୁମାର ଅଗ୍ରୱାଲ ଓ କୋଷାଧକ୍ଷ ଦୀପକ ଜୈନ ସାଧାରଣ ବୈଠକରେ ଗତ ବର୍ଷର ଲେଖା ଯୋଖା ସହିତ ଆସନ୍ତ ବର୍ଷ ପାଇଁ ରୋଡ ମ୍ୟାପ ପାଠ କରିଥିଲେ । ସମସ୍ତ କାଯ୍ୟକ୍ରମକୁ ଉପ ସଭାପତି ସୁମନ୍ତ ପଣ୍ଡା ପରିଚାଳନା କରିଥିବା ବେଳେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.