ବାଗବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ପାଇଁ ଓଡ଼ିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଗ୍ରାମବାସୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବାଗବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ପାଳନ ପାଇଁ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବ୍ୟାପକ ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି । ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୫ ତାରିଖ ୪ ଦିନ ବ୍ୟାପୀ ବିଦ୍ୟାଳୟ ଶତ ବାର୍ଷିକ ଉତ୍ସବ ପାଳନ ହେବ । କମିଟିର ସଭାପତି ପ୍ରମୋଦ କୁମାର ସାହୁ, ଉପ ସଭାପତି ପାଣ୍ଡବ ସାହୁ, ସଂପାଦକ ଉଦୟ ଶଙ୍କର ନାୟକଙ୍କ ସମେତ କମିଟି ସଦସ୍ୟ ଟେକରାଜ ମେହେର, ଗୋବିନ୍ଦ ସାହୁ, ଗୋକୁଳ ବୁଡେକ, ବ୍ରଜ କିଶୋର ମେହେର, ମୁକେଶ ବେହେରା, ରଜତ ବେହେରା, ଅମ୍ବଲ୍ୟ କୁମାର ଦାସ, ଶିବ ସେଠ, ଅକ୍ଷୟ ମେହେର ସମସ୍ତେ ଭୁବନେଶ୍ୱରକୁ ଯାଇ ରାଜଭବନରେ ମହାମହିମ ରାଜ୍ୟପାଳ ଓ ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏତଦବ୍ୟତୀତ ଲୋକସେବା ଭବନରେ ଉପ ମୁଖ୍ୟମନ୍ତ୍ରୀ କେ. ଭି ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍କୁଲ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ କମିଟିର ସଦସ୍ୟମାନେ ସାକ୍ଷାତ କରି ଗାଁ ସ୍କୁଲର ଶତ ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ବାଗବାଡି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଶତ ବାର୍ଷିକ କମିଟିର ସଦସ୍ୟ ମାନଙ୍କ ସହ ବରଗଡ ଲୋକସଭା ସଦସ୍ୟ ପ୍ରଦୀପ ପୁରୋହିତ ମଧ୍ୟ ସାମିଲ ଥିଲେ । ଏହି ବିଦ୍ୟାଳୟର ଶହେ ବର୍ଷ ଉତ୍ସବ ପାଇଁ ଗ୍ରାମବାସୀମାନେ ବ୍ୟାପକ ଭାବେ ପ୍ରସ୍ତୁତି ଚଳାଇଛନ୍ତି ।