ଆଇସିଏଆର-ସିଆଇଡବ୍ଲୁଏ ପରିସରରେ ପିଏମ-କିସାନର ଏକବିଂଶତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ

  • କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର : କେନ୍ଦ୍ର ମନ୍ତ୍ରୀ ଏଚଡି କୁମାରସ୍ୱାମୀ

ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନ କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ) ଠାରେ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ)ର ଏକବିଂଶତମ କିସ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ ଏଚ୍‌.ଡି. କୁମାରସ୍ୱାମୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାବେଶକୁ ସମ୍ବୋଧିତ କରି ଦେଶର ବିକାଶରେ କୃଷକମାନଙ୍କ ଅମୂଲ୍ୟ ଅବଦାନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଦକ୍ଷତା ବିକାଶ ପ୍ରୟାସ ଏବଂ ଆଧୁନିକ ଜ୍ଞାନକୌଶଳର ଉପଲବ୍ଧତା ମାଧ୍ୟମରେ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ମୃଦୁଳା ଦେବୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମହିଳାମାନେ କିପରି କୃଷି-ଖାଦ୍ୟ ପ୍ରଣାଳୀ ଏବଂ ଗ୍ରାମୀଣ ଉଦ୍ୟୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିର୍ବାହ କରୁଛନ୍ତି ତାହା ଉଲ୍ଲେଖ କରିଥିଲେ । ମହିଳା ଚାଷୀମାନଙ୍କୁ ମୁଖ୍ୟଧାରା ବିକାଶ କାର୍ଯ୍ୟକ୍ରମରେ ଅଧିକ ସଂପୃକ୍ତ କରିବାର ପ୍ରୟୋଜନ ଉପରେ ସେ ଆଲୋକପାତ କରିଥିଲେ । ସେ ମହିଳା କୃଷକମାନଙ୍କୁ ଉନ୍ନତ କୃଷି ଜ୍ଞାନକୌଶଳ, ଦୀର୍ଘସ୍ଥାୟୀ ପ୍ରକ୍ରିୟା ଏବଂ ଆଧୁନିକ ଅଭ୍ୟାସକୁ ଗ୍ରହଣ କରିବାକୁ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ‘‘ବୈଜ୍ଞାନିକ ଓ ମହିଳା ଚାଷୀ ଆଲୋଚନାଚକ୍ରରେ ପିଏମ-କିସାନ ଯୋଜନାର ଲାଭ, ପ୍ରାକୃତିକ କୃଷି ପ୍ରଣାଳୀ, ରବି ଫସଲ ପାଇଁ ଉନ୍ନତ ପ୍ୟାକେଜ୍, ଫସଲ ଅପଶିଷ୍ଟ ପରିଚାଳନା ଏବଂ କୃଷକମାନଙ୍କ ପାଇଁ ଜିଏସଟି ହ୍ରାସ ସୁବିଧା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ପିଏମ-କିସାନ ଯୋଜନା ମାଧ୍ୟମରେ କୃଷକ କଲ୍ୟାଣ, ଗ୍ରାମାଞ୍ଚଳର ବିକାଶ ଏବଂ କୃଷି ସମୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରତିବଦ୍ଧତା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମରେ 300ରୁ ଅଧିକ ମହିଳା କୃଷକ, ଜନପ୍ରତିନିଧି ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । 24 ଫେବୃଆରୀ 2019 ମସିହାରେ ଆରମ୍ଭ ହୋଇଥିବା ପିଏମ-କିସାନ ଯୋଜନା ମାଧ୍ୟମରେ ସମସ୍ତ ଜମି ମାଲିକାନା ଥିବା କୃଷକ ପରିବାରମାନଙ୍କୁ ପ୍ରତ୍ୟେକ ବର୍ଷ 2,000 ଟଙ୍କାର ତିନୋଟି କିସ୍ତିରେ ସର୍ବନିମ୍ନ ବାର୍ଷିକ 6,000 ଟଙ୍କା ଆୟ ସହାୟତା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ପିଏମ-କିସାନର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ କୃଷି ପରିବାରକୁ ଠିକ୍ ସମୟରେ ଆୟ ସହାୟତା ନିଶ୍ଚିତ କରି ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ କରିବା ।

Leave A Reply

Your email address will not be published.