ଗୁଜରାଟର ସୁରତରେ ଭାରତର ହାଇସ୍ପିଡ୍ବୁଲେଟ ଟ୍ରେନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

• ଭାରତର ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପର ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
• ବୁଲେଟ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରିତାରୁ ମିଳୁଥିବା ଶିକ୍ଷାକୁ ନେଇ ଲିଖିତ ରେକର୍ଡ ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
• ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ କରିବାର ଭାବନା ଜାଗ୍ରତ ହୁଏ ତାହା ପ୍ରେରଣାର ଏକ ବିଶାଳ ଉତ୍ସ ହୋଇଯାଏ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଜରାଟର ସୁରତରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରିବା ସହିତ ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡରର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦଳ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ଗତି ଓଧାର୍ଯ୍ୟ ସମୟସୀମା ଅନୁସରଣ ସମେତ ପ୍ରକଳ୍ପର ଅଗ୍ରଗତି ବିଷୟରେ ପଚାରିଥିଲେ । ଶ୍ରମିକମାନେ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପ୍ରକଳ୍ପ କୌଣସି ଅସୁବିଧା ବିନା ସହଜ ଭାବରେ ଆଗକୁ ବଢ଼ୁଛି । କେରଳର ଜଣେ ଇଞ୍ଜିନିୟର ଗୁଜରାଟର ନବସାରୀରେ ଥିବା ନଏଜ୍ ବ୍ୟାରିଅର୍ କାରଖାନାରେ କାମ କରିବାର ତାଙ୍କର ଅଭିଜ୍ଞତା ବିଷୟରେ କହିଥିଲେ । ସେଠାରେ ରୋବାର୍ କେଜ୍ ୱେଲ୍ଡିଂ ପାଇଁ ରୋବୋଟିକ୍ ୟୁନିଟ୍ ନିୟୋଜିତ କରାଯାଇଛି । ଶ୍ରୀ ମୋଦୀ ତାଙ୍କୁ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ନିର୍ମାଣର ଅଭିଜ୍ଞତାକୁ ନେଇ ବ୍ୟକ୍ତିଗତ ଭାବରେ କିପରି ଅନୁଭବ କରିଛନ୍ତି ଏବଂ ଏହି ଐତିହାସିକ ସଫଳତା ବିଷୟରେ ସେମାନେ ନିଜ ପରିବାର ସହିତ କ’ଣ ବାଣ୍ଟିଛନ୍ତି ତାହା ପଚାରି ବୁଝିଥିଲେ । ସେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ ନିର୍ମାଣ କାମରେ ଅବଦାନ ଦେବାରେ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିବା ସହ ଏହାକୁ ଏକ ‘‘ସ୍ୱପ୍ନ ପ୍ରକଳ୍ପ’’ ଏବଂ ତାଙ୍କ ପରିବାର ପାଇଁ ଏକ ‘‘ଗୌରବ ମୁହୂର୍ତ୍ତ’’ବୋଲି କହିଥିଲେ । ରାଷ୍ଟ୍ର ସେବାର ମନୋଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, ଯେତେବେଳେ ଦେଶ ପାଇଁ କାମ କରିବା ଏବଂ କିଛି ନୂତନ ଯୋଗଦାନ କରିବାର ଭାବନା ଆସିଥାଏ, ଏହା ଏକ ବିଶାଳ ପ୍ରେରଣାର ଉତ୍ସ ହୋଇଯାଏ । ସେ ଭାରତର ମହାକାଶ ଯାତ୍ରା ସହିତ ଏହାକୁ ତୁଳନା କରିଥିଲେ । ସେ କହିଥିଲେ, ଦେଶର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିବା ବୈଜ୍ଞାନିକମାନେ କିପରି ଅନୁଭବ କରିଥିବେ ଏବଂ ଆଜି ଶହ ଶହ ଉପଗ୍ରହ ଉତକ୍ଷେପଣ କରାଯାଉଛି । ଲିଡ୍ ଇଞ୍ଜିନିୟରିଂ ମ୍ୟାନେଜର ଭାବରେ କାର୍ଯ୍ୟରତ ବେଙ୍ଗାଲୁରୁର ଶ୍ରୁତି, କଠିନ ଡିଜାଇନ୍ ଏବଂ ଇଞ୍ଜିନିୟରିଂ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟାଖ୍ୟା କରିଥିଲେ । କାର୍ଯ୍ୟକାରିତାର ପ୍ରତ୍ୟେକ ପର୍ଯ୍ୟାୟରେ, ତାଙ୍କ ଦଳ ଭଲ ଏବଂ ମନ୍ଦ ମୂଲ୍ୟାଙ୍କନ କରିବା ସହିତସମାଧାନ ଚିହ୍ନଟ କରେ ଏବଂ ତ୍ରୁଟିହୀନ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରିଥାଏ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଯଦି ଏଠାରେ ପ୍ରାପ୍ତ ଅଭିଜ୍ଞତାଗୁଡ଼ିକୁ ବ୍ଲୁ ବୁକ୍ ପରି ରେକର୍ଡ ଏବଂ ସଂକଳନ କରାଯାଏ, ତେବେ ଦେଶ ବୁଲେଟ୍ ଟ୍ରେନର ବଡ଼ ପରିମାଣର କାର୍ଯ୍ୟକାରିତା ଦିଗରେ ନିର୍ଣ୍ଣାୟକ ଭାବରେ ଅଗ୍ରସର ହୋଇପାରିବ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତକୁ ବାରମ୍ବାର ପରୀକ୍ଷଣ ଏଡ଼ାଇବା ଉଚିତ ଏବଂ ବର୍ତ୍ତମାନର ମଡେଲଗୁଡ଼ିକରୁ ଶିକ୍ଷାକୁ ପ୍ରମାଣିତ କରିବା ଉଚିତ । ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ,କୌଣସି କାର୍ଯ୍ୟ କାହିଁକି କରାଯାଇଛି ତାହା ସ୍ପଷ୍ଟ ହୋଇପାରିଲେ ଯାଇ ସେହି କାର୍ଯ୍ୟର ଅନୁକରଣ ସଫଳ ହେବ । ଅନ୍ୟଥା ଅନୁକରଣ ଉଦ୍ଦେଶ୍ୟ କିମ୍ବା ଦିଶାହୀନ ହୋଇପାରେ ବୋଲି ସେ ସତର୍କ କରାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ, ଏପରି ରେକର୍ଡ ରଖିବା ଭବିଷ୍ୟତର ଛାତ୍ରଛାତ୍ରୀମାନଙ୍କୁ ଲାଭଦାୟକ କରିପାରିବ ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେଇପାରିବ । ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ, ଆମେ ଏଠାରେ ଆମର ଜୀବନ ଉତ୍ସର୍ଗ କରିବୁ ଏବଂ ଦେଶ ପାଇଁ କିଛିମୂଲ୍ୟବାନ ଅଭିଜ୍ଞତା ଛାଡିଯିବୁ । ଜଣେ କର୍ମଚାରୀ ଏକ କବିତା ମାଧ୍ୟମରେ ହୃଦୟସ୍ପର୍ଶୀ ଶବ୍ଦରେ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ ଏବଂ କୃତଜ୍ଞତାର ସହିତ ପ୍ରତିକ୍ରିୟା ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ସୁରଟରେ ନିର୍ମାଣାଧୀନ ବୁଲେଟ୍ ଟ୍ରେନ୍ ଷ୍ଟେସନ ପରିଦର୍ଶନ କରି ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (ଏମଏଏଚଏସଆର)ର ପ୍ରଗତି ସମୀକ୍ଷା କରିଥିଲେ । ଏହା ଭାରତର ସବୁଠାରୁ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ଯାହା ଦେଶର ହାଇ-ସ୍ପିଡ୍ ସଂଯୋଗୀକରଣ ଯୁଗରେ ପ୍ରବେଶ କରିବାର ପ୍ରତୀକ । ଏମଏଏଚଏସଆରପ୍ରାୟ ୫୦୮ କିଲୋମିଟର ବ୍ୟାପିଛି, ଯାହା ଗୁଜରାଟ ଏବଂ ଦାଦ୍ରା ଓ ନଗର ହାଭେଲିରେ ୩୫୨ କିଲୋମିଟର ଏବଂ ମହାରାଷ୍ଟ୍ରରେ ୧୫୬ କିଲୋମିଟର ବ୍ୟାପିଛି । ଏହି କରିଡର ସାବରମତୀ, ଅହମ୍ମଦାବାଦ, ଆଣନ୍ଦ, ଭଦୋଦରା, ଭରୁଚ, ସୁରଟ, ବିଲିମୋରା, ଭାପି, ବୋଇସର, ଭିରାର, ଥାନେ ଏବଂ ମୁମ୍ବାଇ ସମେତ ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ, ଯାହା ଭାରତର ପରିବହନ ଭିତ୍ତିଭୂମିରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ । ଅନ୍ତର୍ଜାତୀୟ ମାନଦଣ୍ଡ ସହିତ ସମକକ୍ଷ ଉନ୍ନତ ଇଞ୍ଜିନିୟରିଂ କୌଶଳ ସହିତ ନିର୍ମିତ, ଏହି ପ୍ରକଳ୍ପରେ ଭାୟାଡକ୍ଟରେ ୪୬୫ କିଲୋମିଟର (ରୁଟର ପ୍ରାୟ ୮୫%) ରହିଛି, ଯାହା ସର୍ବନିମ୍ନ ଭୂମି ବିଭ୍ରାଟ ଏବଂ ବର୍ଦ୍ଧିତ ସୁରକ୍ଷା ସୁନିଶ୍ଚିତ କରେ । ଏପର୍ଯ୍ୟନ୍ତ, ୩୨୬ କିଲୋମିଟର ଭାୟାଡକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୫ଟି ନଦୀ ସେତୁ ମଧ୍ୟରୁ ୧୭ ଟି ନିର୍ମାଣ ହୋଇସାରିଛି । ସମ୍ପୂର୍ଣ୍ଣ ହେବା ପରେ, ବୁଲେଟ୍ ଟ୍ରେନ୍ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟକୁ ପ୍ରାୟ ଦୁଇ ଘଣ୍ଟାକୁ ହ୍ରାସ କରିବ । ଏହା ଯାତ୍ରାକୁ ଦ୍ରୁତ, ସହଜ ଏବଂ ଅଧିକ ଆରାମଦାୟକ କରି ଆନ୍ତଃସହର ଯାତାୟାତରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଏହି ପ୍ରକଳ୍ପ ସମଗ୍ର କରିଡରରେ ବ୍ୟବସାୟ, ପର୍ଯ୍ୟଟନ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବ । ପ୍ରାୟ ୪୭ କିଲୋମିଟର ବ୍ୟାପୀ ସୁରଟ-ବିଲିମୋରା ସେକ୍ସନ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁରଟ ଷ୍ଟେସନର ଡିଜାଇନ୍ ସହରର ବିଶ୍ୱ ପ୍ରସିଦ୍ଧ ହୀରା ଶିଳ୍ପରୁ ପ୍ରେରଣା ନେଇଛି, ଯାହା ସୌନ୍ଦର୍ଯ୍ୟ ଏବଂ କାର୍ଯ୍ୟକ୍ଷମତା ଉଭୟକୁ ପ୍ରତିଫଳିତ କରେ । ଷ୍ଟେସନକୁ ଯାତ୍ରୀଙ୍କ ଆରାମ ଉପରେ ଦୃଢ଼ ଧ୍ୟାନ ଦେଇ ଡିଜାଇନ୍ କରାଯାଇଛି, ଯେଉଁଥିରେ ପ୍ରଶସ୍ତ ପ୍ରତୀକ୍ଷା ଲାଉଞ୍ଜ, ବିଶ୍ରାମାଗାର ଏବଂ ଖୁଚୁରା ଦୋକାନ ରହିଛି । ଏହା ସୁରଟ ମେଟ୍ରୋ, ସିଟି ବସ୍ ଏବଂ ଭାରତୀୟ ରେଳ ନେଟୱର୍କ ସହିତ ବାଧାମୁକ୍ତ ବହୁମୁଖୀ ସଂଯୋଗ ମଧ୍ୟ ପ୍ରଦାନ କରିବ ।

Leave A Reply

Your email address will not be published.