ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଓରଫ ବାରିକଙ୍କୁ ଆଜି ପାଇକମାଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ବେଳେ ତାଙ୍କ ନାମରେ ପାଇକମାଲ ଥାନାରେ ଅନେକ ଗୁଡ଼ିଏ ହାଫ ମର୍ଡର ଭଳି ସଙ୍ଗୀନ ମାମଲା ରହିଛି । ପ୍ରାପ୍ତ ସୂଚନାନୁଯାୟୀ, ଗତ ୨୦୨୨ରେ ହୋଇଥିବା ତ୍ରିସ୍ତରୀୟ ନିର୍ବାଚନରେ କାଂସଡ଼ା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାବେ ସଞ୍ଜୀବ ବରିହା ଓରଫ ବାରିକ ନିର୍ବାଚନ ଜିତିବା ସହ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ପଦରେ ଥିଲେ । କାଂସଡ଼ା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିଲା । ତେଣୁ ସଞ୍ଜୀବ ସମିତି ସଭ୍ୟ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଜାତି ସାର୍ଟିଫିକେଟକୁ ଜାଲିଆତି କରି ଅନୁସୂଚିତ ଜନଜାତି କରି ନାମାଙ୍କନ ଭରିବା ସହ ନିର୍ବାଚନ ଜିତି ବର୍ତ୍ତମାନ ବ୍ଲକ ଉପାଧ୍ୟକ୍ଷ ପଦବୀରେ ଥିଲେ । ହେଲେ ପ୍ରକୃତରେ ସେ ହେଉଛନ୍ତି ପଛୁଆ ବର୍ଗ ଜାତିର । ଏ ବିଷୟରେ ଖବର ପାଇବା ପରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜାତି ଜାଲିଆତି ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ପାଇକମାଲ ବ୍ଲକ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଏହା ପରେ ମଧ୍ୟ ସମାଧାନ ହୋଇ ନ ଥିଲା ଯଦ୍ୱାରା ଉପଜିଲ୍ଲାପାଳ ପଦ୍ମପୁରଙ୍କ ସମ୍ମୁଖରେ ଅନଶନ ମଧ୍ୟ କରାଯାଇଥିଲା । ଏହା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା । ପରେ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିକୁ ଲିଖିତ ଅଭିଯୋଗ କରିଥିଲେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା । ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିର ନିର୍ଦ୍ଦେଶରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ କୁମାର ଶତପଥୀ ଅକ୍ଟୋବର ୯ ତାରିଖ ଦିନ ପାଇକମାଲ ଥାନାରେ ସଂଜୀବଙ୍କ ନାମରେ ଜାତି ପ୍ରମାଣ ପତ୍ର ଜାଲିଆତିକୁ ନେଇ ଅଭିଯୋଗ କରିଥିଲେ । ପାଇକମାଲ ପୋଲିସ ଅଭିଯୁକ୍ତକୁ ପାଇକମାଲ କେସ ନଂ ୨୩୯/୨୫ର ବିଏନ୍ଏସ୍ର ଧାରା୩୧୮(୨), ୩୩୬(୧), ୩୩୬(୩), ୩୪୦(୨), ୩୪୧(୧), ୩୪୧(୨)ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ତେବେ ଏ ଖବର ପାଇବା ପରେ ପାଇକମାଲ ବ୍ଲକ ତଥା ଜିଲ୍ଲାରେ ଥିବା ନକଲି ଆଦିବାସୀଙ୍କ ମନରେ ଛନକା ପଶିଯାଇଛି । ଏମିତି ନକଲି ଆଦିବାସୀମାନେ ଅସଲିଙ୍କ ହକ ଅଧିକାରକୁ ଛଡାଇ ନେଉଛନ୍ତି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ନକଲି ମାନଙ୍କ ମଧ୍ୟ ରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
Prev Post
Next Post