ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଜନସାଧାରଣଙ୍କ ସମ୍ମିଳିତ କଠିନ ପ୍ରଚେଷ୍ଟାରେ ୧୯୮୪ ମସିହାରେ ସ୍ଥାପିତ ଝାରବନ୍ଧ ପଞ୍ଚାୟତ ସମିତି ଜୁନିୟର କଲେଜ ୨୦୨୧/୨୨ ଶିକ୍ଷା ବର୍ଷରୁ ବର୍ତ୍ତମାନ ସୁଦ୍ଧା ଅନେକ ଆର୍ଥିକ ଅନିୟମିତତା, ଯେପରି କି-କଲେଜ ପାଣ୍ଠି ଅସାଧୁ ଉପାୟରେ ହେରଫେର, ବିଶୃଙ୍ଖଳା, ପରିଚାଳନା ଗତ ସମସ୍ୟା, ପାଠପଢ଼ାରେ ଅବହେଳା ବିଷୟରେ ଅନେକ ଦିନରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି ହେଉଥିବାରୁ ଉପଯୁକ୍ତ ତଦନ୍ତ ପାଇଁ ଝାରବନ୍ଧ ଅଞ୍ଚଳବାସୀଙ୍କ ତରଫରୁ ଝାରବନ୍ଧ ଗ୍ରାମ୍ୟ ସଭାପତି ତଥା ଜମିଦାତା ମୋହନ ପ୍ରଧାନ, ଅବସର ଶିକ୍ଷକ ତଥା ଜମିଦାତା ଜଗଦୀଶ ସାହୁ, ବିଜେପି ଝାରବନ୍ଧ ମଣ୍ଡଳ ସଭାପତି ସତ୍ୟମ ପ୍ରଧାନ, ସତ୍ୟାନନ୍ଦ ପ୍ରଧାନ, ବିନୋବା ପ୍ରଧାନ ଗତ ତା. ୧୫.୦୯.୨୦୨୫ରେ ଉପଜିଲ୍ଲାପାଳ ପଦ୍ମପୁର ସ୍ନେହା ଅରୁଗୁଳାଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ୨୦୨୧/୨୨ ଶିକ୍ଷା ବର୍ଷ ଠାରୁ ଏଯାବତ କଲେଜ ଡେଭଲପମେଣ୍ଟ ଫଣ୍ଡ ଏବଂ ଅନ୍ୟାନ୍ୟ ଅନୁଦାନରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡରେ ସମସ୍ତଙ୍କ ଅଜାଣତରେ ବେନିୟମ ଭାବେ ନିର୍ମାଣ କାର୍ଯ୍ୟ ହେଉଥିବାର, କଲେଜରେ କନଷ୍ଟ୍ରକସନ କମିଟି, ପରଚେଜ କମିଟି କେହି ନ ଥିବାର, କଲେଜରେ ସମସ୍ତ କାର୍ଯ୍ୟ ସମସ୍ୟା କେବଳ ଅଧକ୍ଷ୍ୟ ଏବଂ ଲାଇବ୍ରେରୀଆନ ଦୁଇଜଣଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ମାଧ୍ୟମରେ ଆଲୋଚନା, କଲେଜ ତଥ୍ୟ କର୍ମଚାରୀଙ୍କ ଠାରୁ ଗୁପ୍ତ ରଖିବା, ଲକ୍ଷାଧିକ ଟଙ୍କାର ନିର୍ମାଣ କାର୍ଯ୍ୟ ଲାଇବ୍ରେରୀଏନ ନିଜେ ତାଙ୍କ ତତ୍ୱାବଧାନରେ ନିର୍ବାହ କରିବା, ନୂତନ ଭାବେ ଖୋଲା ଯାଇଥିବା ବିଜ୍ଞାନ ବିଭାଗ ପାଇଁ ଅଧ୍ୟାପକ, ଡେମୋଷ୍ଟ୍ରେଟର, କ୍ଲର୍କ, ପିଅନ ନିଯୁକ୍ତି ସକାଶେ ଵିଜ୍ଞାପନ ମାଧ୍ୟମରେ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, କିନ୍ତୁ ଅଧ୍ୟାପକ ମାନଙ୍କର ଆବେଦନରେ ପାଞ୍ଚ ଶହ ଟଙ୍କା ଲେଖାଏଁ ଜମା ରଖି ଅଣ ଶିକ୍ଷକ କର୍ମଚାରୀ ମାନଙ୍କର ଆବେଦନକୁ ଫେରାଇ ଦେଇ ଫୋନ ମାଧ୍ୟମରେ ସାକ୍ଷାତକାର ତାରିଖ ଜଣାଇବୁ କହିବା, ସାକ୍ଷାତକାର ଦିନ ଇଂରାଜୀ ଏବଂ ଆଇ.ଟି. ବିଷୟକୁ ରଦ୍ଧ କରି ଅନ୍ୟ ବିଷୟ ଗୁଡିକର ସାକ୍ଷାତକାର କରାଯିବା ସହିତ ଇଂରାଜୀ ଏବଂ ଆଇ.ଟି. ବିଷୟର ସାକ୍ଷାତକାର ବହୁଦିନ ପରେ ଗୁପ୍ତ ଭାବରେ କରାଯାଇ ନିଜର ପିଲାଙ୍କୁ ନିଯୁକ୍ତି ପାଇଁ ସ୍ଥିର, ଏହି ପ୍ରକ୍ରିୟାରେ ଟଙ୍କା କାରବାର, ଦୁଇ ଜଣ ପ୍ରାର୍ଥୀ ଥିବା ସତ୍ୱେ ସାକ୍ଷାତକାର ଫଳାଫଳ ତାଲିକାରେ ଅଧିକ ପିଲାଙ୍କ ନାମ ଉଲ୍ଲେଖ, ୨୦୨୨ ମସିହାରୁ ଗୋଟିଏ ମହିଳା ପିଅନ ଏବଂ ଗୋଟିଏ ପୁରୁଷ ପିଅନ ବିନା ବିଜ୍ଞାପନ, ବିନା ସାକ୍ଷାତକାରରେ ନିଯୁକ୍ତି, ଅଧ୍ୟକ୍ଷ ଏବଂ ଲାଇବ୍ରେରୀଏନ ବ୍ୟକ୍ତିଗତ କାମ ତଥା ଚର୍ଚ୍ଚା ପାଇଁ ପ୍ରତିମାସ କଲେଜ ଫଣ୍ଡରୁ ଦରମା ପ୍ରଦାନ, ପ୍ରତିଦିନ କଲେଜରେ ମହିଳା ପିଅନ ତିନି ଜଣଙ୍କର ରୋଷେଇ କରିବା, ଅଧ୍ୟକ୍ଷ ପ୍ରତିଦିନ ପଚାଶ କିଲୋମିଟର ଦୂର ପଦ୍ମପୁରରୁ ଯିବାଆସିବା କରନ୍ତି, ସପ୍ତାହରେ ଚାରିଦିନ କଲେଜକୁ ଆସନ୍ତି, ଅଧ୍ୟକ୍ଷ ଅଫିସ କାର୍ଯ୍ୟରେ ଯାଉଛି କହି କୌଣସି ଶିକ୍ଷକ କର୍ମଚାରୀ ଅଧ୍ୟକ୍ଷ ଦାୟିତ୍ୱ ନଦେଇ ଏକ ଅଣ ଶିକ୍ଷକ କର୍ମଚାରୀ ଲାଇବ୍ରେରୀଏନଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବା, ଅଧ୍ୟକ୍ଷ ଲକ୍ଷାଧିକ ଟଙ୍କା ଦରମା ପାଇବା ସତ୍ୱେ ପ୍ରତିମାସ କଲେଜରୁ ଛଅ ହଜାର ଟଙ୍କା ନେବା, କଲେଜର ସମସ୍ତ ସିଟ ପୁରଣ ହେବା ପରେ ଅନ୍ୟାନ୍ୟ ଅଣ ଛାତ୍ର ମାନଙ୍କ ଠାରୁ ପ୍ରାୟ ଚାରି ହଜାର ଟଙ୍କା ଲେଖାଏଁ ଜଣ ପିଛା ବିନା ରସିଦରେ ଅସୁଲି କରି କ୍ଲାସର ଆଗଧାଡିରେ ବସିବାର ସୁଯୋଗ ଦେବା ଯୋଗୁଁ ଅନେକ ସମୟରେ ଛାତ୍ରଛାତ୍ରୀ ବିଶୃଙ୍ଖଳା, ୨୨୪ ଜଣ ଛାତ୍ରଛାତ୍ରୀ ତଥା ଅଣ ଛାତ୍ରଛାତ୍ରୀ ସମସ୍ତଙ୍କୁ ଗୋଟିଏ ସେକ୍ସନରେ ବସାଇ କ୍ଲାସ କରିବା, କଲେଜ ଲାଇବ୍ରେରୀ ପାଇଁ ପ୍ରତି ଛାତ୍ରଛାତ୍ରୀ ମାନଙ୍କଠାରୁ ଦୁଇ ଶହ ବିନା ରସିଦରେ ଅସୁଲି କରିବା, କଲେଜ ଲାଇବ୍ରେରୀ ବହି, ବେଞ୍ଚ ଟେବୁଲ, ଲାପଟପ, କମ୍ପ୍ୟୁଟର ଇତ୍ୟାଦିର କଲେଜର ଷ୍ଟକ ଯାଞ୍ଚ ଅଭିଯୋଗ କରିବା ସହିତ କଲେଜର ବାଓମେଟ୍ରିକ ଏବଂ ସିସିଟିଭି ଯାଞ୍ଚ କଲେ ଅନେକ ଗୁପ୍ତ ରହସ୍ୟ ସାମ୍ନାକୁ ଆସିବ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ପୁନର୍ବାର ଆଜିର ଝାରବନ୍ଧରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଝାରବନ୍ଧ ପଞ୍ଚାୟତ ସମିତି ଜୁନିଅର କଲେଜର ଅନିୟମିତତା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଦେଇ ଥିବା ଅଭିଯୋଗ ପତ୍ରର ଅବିକଳ ନକଲ ସହିତ ଝାରବନ୍ଧ ଜୁନିୟର କଲେଜ ପ୍ରମୋଦ କୁମାର ସାହୁ (ଅର୍ଥନୀତି ବିଭାଗ) ଅଧ୍ୟକ୍ଷ ଦାୟିତ୍ୱ ନେବା ଦିନଠାରୁ ଚାଲିଥିବା ଆର୍ଥିକ ଅନିୟମିତତା, ବେଆଇନ ନିଯୁକ୍ତି, ପାଠପଢ଼ାରେ ବିଶୃଙ୍ଖଳା ଏବଂ ବେଆଇନ ନିର୍ମାଣ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଝାରବନ୍ଧ ଅଂଚଳବାସୀ ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ଅଭିଯୋଗ କରିଛନ୍ତି । ଏ ଅଭିଯୋଗ ବାବଦରେ କଲେଜର ପ୍ରିନସିପାଲ ପ୍ରମୋଦ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ଭିତ୍ତିହୀନ ଅଟେ, ସରକାରୀ ନିର୍ଦ୍ଦେଶ ନାମା, ନିୟମାବଳୀ ଅନୁସାରେ ନିର୍ମାଣ କାର୍ଯ୍ୟ ଏବଂ ନିଯୁକ୍ତି ପ୍ରକ୍ରିୟା ହୋଇଛି ବୋଲି କହିଛନ୍ତି । ଝାରବନ୍ଧ ଜୁନିୟର କଲେଜ ସମ୍ୱନ୍ଧୀୟ ଅଭିଯୋଗର ଉପଯୁକ୍ତ ତଦନ୍ତ ହୋଇ, ଯିଏ ବି ସାମିଲ ଥିବେ ସେହି ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଆଶ୍ଵାସନା ଦେଇଛନ୍ତି ।
Prev Post