୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

• ଚଳଚ୍ଚିତ୍ର କେବଳ ଲୋକପ୍ରିୟତା ହାସଲ କରିବା ଯଥେଷ୍ଟ ନୁହେଁ, ଏହା ବୃହତ୍ତର ଜନହିତକର ସେବା କରିବା ଉଚିତ : ରାଷ୍ଟ୍ରପତି
• ମୁର୍ମୁ ଚଳଚ୍ଚିତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧିକୁ ପ୍ରଶଂସା କଲେ ରାଷ୍ଟ୍ରପତି; ପରଦା ବାହାରେ ସମାନ ସୁଯୋଗ ପ୍ରଦାନ କରିବାକୁ ଦେଲେ ଆହ୍ୱାନ
• ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଲେ ବହୁମୁଖି ପ୍ରତିଭାର ପ୍ରତୀକ ମୋହନଲାଲ
• ଶ୍ରୀ ମୋହନଲାଲ ଦାଦାସାହେବ ଫାଲକେ ପୁରସ୍କାରକୁ ‘ଯାଦୁକରୀ ଏବଂ ପବିତ୍ର’ ଭାବରେ କଲେ ବର୍ଣ୍ଣନା, ଚଳଚ୍ଚିତ୍ରକୁ ତାଙ୍କ ଆତ୍ମାର ହୃଦସ୍ପନ୍ଦନ ବୋଲି ଅଭିହିତ କରିବା ସହ ପୁରସ୍କାରକୁ ମାଲାୟଲମ ଚଳଚ୍ଚିତ୍ର ଗୁରୁମାନଙ୍କ ସମ୍ମାନରେ କଲେ ଉତ୍ସର୍ଗ
• ସରକାର ସ୍ୱଦେଶୀ ଚଳଚ୍ଚିତ୍ର ଉପକରଣକୁ ପ୍ରୋତ୍ସାହିତ କରିବା ସହିତ ଲାଇଭ୍ କନସର୍ଟ ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ବିକଶିତ ଭାରତ ୨୦୪୭କୁ ସାକାର କରିବା ପାଇଁ ଆଦର୍ଶ ରାଜ୍ୟ ଚଳଚ୍ଚିତ୍ର ନିୟାମକ ନିୟମାବଳୀ ପ୍ରସ୍ତୁତ କରିବେ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
• ସମାରୋହରେ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌’କୁ ଅଣଫିଚର ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଚଳଚ୍ଚିତ୍ରର ଗୌରବଶାଳୀ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତୀୟ ସିନେମାର ଉତ୍କୃଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରିଛନ୍ତି । ସମାରୋହରେ କଳାକାର, ବିଶିଷ୍ଟ ବ୍ୟକ୍ତି ଏବଂ ପ୍ରଶଂସକମାନେ ଏକାଠି ହୋଇଥିଲେ ।
ପୁରସ୍କାର ସମାରୋହରେ ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌’କୁ ଅଣଫିଚର ଫିଲ୍ମର ସ୍ୱତନ୍ତ୍ର ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି ।
କିମ୍ବଦନ୍ତୀ ଅଭିନେତା ଶ୍ରୀ ମୋହନଲାଲଙ୍କୁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି କହିଥିଲେ, ସେ କେବଳ ତାଙ୍କର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିନାହାଁନ୍ତି ବରଂ ତାଙ୍କ ବ୍ୟାପକ କଳାତ୍ମକ କାର୍ଯ୍ୟ ମାଧ୍ୟମରେ ଭାରତର ସାଂସ୍କୃତିକ ଲୋକାଚାରକୁ ବଜାୟ ରଖିଛନ୍ତି। ରାଷ୍ଟ୍ରପତି ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ମଞ୍ଚରୁ ବଡ଼ ପରଦା ପର୍ଯ୍ୟନ୍ତ ତାଙ୍କର ଉଲ୍ଲେଖନୀୟ ଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ । ରାଷ୍ଟ୍ରପତି କହିଥିଲେ, ମୋହନଲାଲ ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ୱ ଏବଂ ପିଢ଼ି ପରେ ପିଢ଼ି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି।
ଶ୍ରୀମତୀ ମୁର୍ମୁ କହିଛନ୍ତି, ଭାରତରେ ସିନେମା ଗଣତନ୍ତ୍ରର ସାର ଏବଂ ଭାରତର ବିବିଧତାକୁ ପ୍ରତିଫଳିତ କରେ। ସେ କହିଥିଲେ, ଚଳଚ୍ଚିତ୍ରଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ ବରଂ ସମାଜକୁ ଜାଗ୍ରତ କରିବା, ସମ୍ବେଦନଶୀଳତା ସୃଷ୍ଟି କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପ୍ରସାର କରିବାର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରେ।
ରାଷ୍ଟ୍ରପତି ସିନେମାରେ ମହିଳାମାନଙ୍କର ବର୍ଦ୍ଧିତ ପ୍ରତିନିଧିତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ଜୋର ଦେଇ କହିଥିଲେ, ସମାନ ସୁଯୋଗ ପ୍ରଦାନ କଲେ, ସେମାନେ ଉତ୍କର୍ଷତା ଏବଂ ଅସାଧାରଣ ସଫଳତା ହାସଲ କରିପାରିବେ। ସେ ପରଦାରେ ଏବଂ ପରଦା ପଛରେ ମହିଳାମାନଙ୍କର ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀମତୀ ମୁର୍ମୁ ଚଳଚ୍ଚିତ୍ର ଶିଳ୍ପରେ ପିଲାମାନଙ୍କ ସମେତ ସୃଜନଶୀଳତା ଏବଂ ନବସୃଜନ ଆଣୁଥିବା ଯୁବ ଏବଂ ଉଦୀୟମାନ ପ୍ରତିଭାଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ସେ ପୁରସ୍କାରରେ ସମ୍ମାନିତ ହୋଇଥିବା ଛଅ ଜଣ ଶିଶୁ କଳାକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସିନେମାରେ ପରିବେଶଗତ ଚିନ୍ତା ପ୍ରତି ବୃଦ୍ଧି ପାଉଥିବା ସଚେତନତାକୁ ସ୍ୱାଗତ କରିଥିଲେ।
ସମାରୋହରେ ରାଷ୍ଟ୍ରପତି ବିଶିଷ୍ଟ ଅଭିନେତା ମୋହନଲାଲଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ। ଏହା ତାଙ୍କର ବହୁମୁଖୀ ପ୍ରତିଭା ପ୍ରତି ଉପଯୁକ୍ତ ସମ୍ମାନ ଥିଲା। ନିଜର ବିସ୍ତୃତ କ୍ୟାରିଅରରେ ଶ୍ରୀ ମୋହନଲାଲ ୩୬୦ରୁ ଅଧିକ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଏବଂ ସେମାନଙ୍କର ଆବେଗକୁ ପ୍ରଭାବିତ କରିପାରିଛନ୍ତି। ପୂର୍ବରୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପାଞ୍ଚଟି ଜାତୀୟ ପୁରସ୍କାର ପାଇଥିବା ମୋହନଲାଲଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ସମୟରେ ସମାରୋହସ୍ଥଳ କରତାଳିରେ ଗୁଞ୍ଜରିତ ହୋଇଯାଇଥିଲା।
ସମ୍ମାନକୁ ଗ୍ରହଣ କରି ଶ୍ରୀ ମୋହନଲାଲ ତାଙ୍କର ଚଳଚ୍ଚିତ୍ର କ୍ୟାରିଅରକୁ ରୂପ ଦେବାରେ ଯୋଗଦାନ ଦେଇଥିବା ସମସ୍ତଙ୍କ ପ୍ରତି କୃତଜ୍ଞତାବ୍ୟକ୍ତ କରିଥିଲେ । ଏହି ସମ୍ମାନକୁ ‘‘ଯାଦୁକରୀ ଏବଂ ପବିତ୍ର’’ ବୋଲି ବର୍ଣ୍ଣନା କରି ସେ ଏହି ପୁରସ୍କାରକୁ ମାଲାୟଲମ ଚଳଚ୍ଚିତ୍ର ଜଗତର ଗୁରୁମାନଙ୍କୁ ଉତ୍ସର୍ଗ କରିଥିଲେ। ସେ କହିଥିଲେ, ଏ ପୁରସ୍କାର ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଜଗତର । ସେ କହିଥିଲେ, ଚଳଚ୍ଚିତ୍ର ତାଙ୍କ ଆତ୍ମାର ହୃଦସ୍ପନ୍ଦନ ଏବଂ ଏହି ମାନ୍ୟତା ଅଧିକ ଗଭୀରତା ଏବଂ ପ୍ରତିବଦ୍ଧତା ସହିତ କଳାକୁ ଅନୁସରଣ କରିବା ପାଇଁ ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଛି ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶ୍ରୀ ମୋହନ ଲାଲଙ୍କୁ ଜଣେ ପ୍ରକୃତ କିମ୍ବଦନ୍ତୀ ରୂପେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ସରକାର ୱେଭ୍ସ ୨୦୨୫ରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ସଫଳ କରାଇଥିଲେ। ଏହି କାର୍ଯ୍ୟକ୍ରମ ଏକ ମାନଦଣ୍ଡ ପ୍ରତିଷ୍ଠା କରିଛି ଯାହା ଭାରତକୁ ବିଶ୍ୱ ଚଳଚ୍ଚିତ୍ର ଏବଂ କଣ୍ଟେଣ୍ଟ ସୃଷ୍ଟିରେ ସର୍ବାଗ୍ରେ ରଖିଛି। ବିଶ୍ୱ ଏବେ ଭାରତ ଆଡକୁ କିପରି ଦେଖୁଛି ତାହା ଉପରେ ଆଲୋକପାତ କରି ସେ କହିଥିଲେ ଯେ ୱେଭ୍ସ ବଜାର ଭଳି ପଦକ୍ଷେପ ଭାରତୀୟ ନିର୍ମାତାମାନଙ୍କୁ ବ୍ୟାପକ ବଜାରରେ ପ୍ରବେଶ କରାଇବାରେ ସକ୍ଷମ କରୁଛି।
ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଦେଶର ପ୍ରଥମ ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିନେମା ଆଣ୍ଡ୍ ଟେକ୍ନୋଲୋଜି (ଆଇଆଇସିଟି) ମୁମ୍ବାଇର ଏନଏଫଡିସି କ୍ୟାମ୍ପସରେ କାର୍ଯ୍ୟ ଆରମ୍ଭ କରିଛି । ମେଟା, ଏନଭିଡିଆ, ମାଇକ୍ରୋସଫ୍ଟ ଏବଂ ଗୁଗୁଲ୍ ସମେତ ପ୍ରମୁଖ ବିଶ୍ୱ ଅଂଶୀଦାରଙ୍କ ସହଯୋଗରେ ୧୭ଟି ପାଠ୍ୟକ୍ରମ ଚାଲୁ କରିଛି। ଭାରତକୁ ଏକ ବିଶ୍ୱ କଣ୍ଟେଣ୍ଟ ଅର୍ଥବ୍ୟବସ୍ଥା ଭାବରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ସ୍ୱଦେଶୀ ଚଳଚ୍ଚିତ୍ର ଉପକରଣ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଲାଇଭ୍ କନସର୍ଟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୀତି ପ୍ରଣୟନ କରିବାର ଲକ୍ଷ୍ୟ ଉପରେ ଆଲୋକପାତ କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଦର୍ଶ ରାଜ୍ୟ ଚଳଚ୍ଚିତ୍ର ନିୟାମକ ନିୟମାବଳୀ ପ୍ରସ୍ତୁତ କରାଯାଉଛି, ଯାହା ୨୦୪୭ ସୁଦ୍ଧା ସରକାରଙ୍କ ବିକଶିତ ଭାରତ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଉଛି । ଏହି ଯାତ୍ରାରେ ନିର୍ମାତାଙ୍କ ଅର୍ଥବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଥିଲେ, ଚଳିତ ଥର ଅନେକ ପ୍ରୟାସ ପ୍ରଥମ ଥର ଲାଗି ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ସେ ୱେଭ୍ସ ଶିଖର ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ।
ଆଜିର ସମାରୋହରେ ଶାହରୁଖ ଖାନ (ଯବାନ ଚଳଚ୍ଚିତ୍ର ପାଇଁ) ଓ ବିକ୍ରାନ୍ତ ମେସୀ(ଟ୍ୱେଲଭ୍ଥ୍ ଫେଲ୍ ଚଳଚ୍ଚିତ୍ର ପାଇଁ)ଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରିବା ସମୟରେ ସଭାସ୍ଥଳ କରତାଳିରେ ଗୁଞ୍ଜରିତ ହୋଇଥିଲା। ଟ୍ୱେଲଭ୍ଥ୍ ଫେଲ୍ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ନୂତନ ବର୍ଗରେ ହନୁ-ମାନ ଚଳଚ୍ଚିତ୍ରକୁ ଏଭିଜିସି ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଥିଲା।

Leave A Reply

Your email address will not be published.