ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଚିକା ସହାୟିକାମାନେ ଦୀର୍ଘ ୨ ଦଶନ୍ଧି ଧରି ସଫଳତାର ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରୂପାୟନ କରିଛନ୍ତି । କିନ୍ତୁ ସେମାନଙ୍କୁ ନା ସର୍ବନିମ୍ନ ମଜୁରି ନା ସାମାଜିକ ସୁରକ୍ଷା, ସରକାରୀ ପାରିଶ୍ରମିକ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଡିସେମ୍ବର ୨୦୦୯ ଠାରୁ ସରକାର ପରିଶ୍ରମିକ ୧୦୦୦ ଟଙ୍କା ବୃଦ୍ଧି କରିଥିଲେ ସୁଦ୍ଧା ବର୍ଦ୍ଧିତ ଦରମା ତାଙ୍କ ହାତକୁ ଏଯାଏଁ ପହଂଚି ପାରିନାହିଁ । ଏହି ସବୁ ଦାବିକୁ ନେଇ ପାଚିକା ସହାୟିକା ସଂଘ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ସେମାନେ ଆହୁରି କହିଥିଲେ ଯେ, ପାଚିକା ସହାୟିକାମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସରକାରୀ କର୍ମଚାରୀ ମାନ୍ୟତା, ମାସିକ ସର୍ବନିମ୍ନ ମଜୁରି, ବର୍ଷକୁ ୧୨ ମାସର ପାରିଶ୍ରମିକ ପ୍ରଦାନ, ଅବସର ବୟସ ସୀମା ୬୨କୁ ବୃଦ୍ଧି, ସରକାରୀ ନିୟମାନୁଯାୟୀ ଛୁଟି ପ୍ରଦାନ, ମୃତ ବୀମାରାଶି ୫ ଲକ୍ଷ ସହ ଅବସର ପରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ ବ୍ୟତୀତ ଅନ୍ୟ କୌଣସି କାମରେ ପାଚିକାମାନଙ୍କୁ ନିୟୋଜିତ ନ କରିବା, ୪ ବର୍ଷର ବକେୟା ଶାଢି ପ୍ରଦାନ କରିବା ଆଦି ୧୫ ଦଫା ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ତେବେ ଏଥର ମଧ୍ୟ ସରକାର ପାଚିକା ସହାୟିକାମାନଙ୍କର ନ୍ୟାର୍ଯ୍ୟପୂର୍ଣ୍ଣ ଦାବିକୁ ଗ୍ରହଣ ନ କଲେ ସହାୟିକାମାନେ ରାଜ୍ୟବ୍ୟାପି ଆନ୍ଦୋଳନ କରିବେ ବୋଲି ସଭାପତି ପାଣ୍ଡବ ଭୋଇ ଚେତାଇ ଦେଇଛନ୍ତି । ମୁଖ୍ୟ ଅତିଥି ତଥା ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ମାଧବୀ କଲତା ମୁଖ୍ୟବକ୍ତା, ବରିଷ୍ଠ ଶ୍ରମିକ ନେତା ଗୋପାଳ ଭୋଇ ଓ ଯୁବ ନେତା କମଲ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିକ ରଣା, ଅର୍ଜୁନ ଖରସେଲ, ବଡ ବାଗ, ଅମୃତ ଭାଟି, ଶ୍ରୀୟା ଥନାପତି, ବୁଲୁ ବିଶ୍ୱାଲ, ହେମ କାଣ୍ଡ, ନନ୍ଦିନୀ ରାଉତ, ବିନତି ଭୋଇ, ଭୂମିସୂତା ଖର୍ସେଲ, ଜୟନ୍ତୀ ନେଗୀ, ବାସନ୍ତି ରଣା, ନିରୁପମା ମାଝି, ଅନ୍ତମୁଖି କର ଓ ମାଲତି ରଣା ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ ।

Leave A Reply

Your email address will not be published.