ବଲାଙ୍ଗିର ଠାରେ ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀକକ୍ଷ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଆଧ୍ୟମରେ କନ୍ୟା ସନ୍ତାନଙ୍କ ଶସକ୍ତିକରଣ ଓ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏକ ଶସକ୍ତ ସମାଜ ଗଠନ ନିମନ୍ତେ । ମହିଳା ଓ କନ୍ୟା ସନ୍ତାନଙ୍କ ଶସକ୍ତିକରଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । କନ୍ୟା ସନ୍ତାନ ମାନଙ୍କୁ ଉଚିତ୍‌ ସମ୍ମାନ ପ୍ରଦାନ କରି ଲାଳନ ପାଳନ କରିବା ଓ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ ନ କରିବାକୁ ସଚେତନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ସେମାନଙ୍କ ମାନସିକ ଓ ବୈଦ୍ଧିକ ବିକାଶ ଦିଗରେ ଚେଷ୍ଟିତ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତୀନ କୁଶଲକର ମହିଳା ଓ ଶିଶୁ କନ୍ୟା ମାନଙ୍କ ନିମନ୍ତେ ସମନ୍ୱିତ ସୁବିଧା ଓ ସୁଯୋଗ ସମ୍ପର୍କରେ ଆଲୋକପାତ କରିବା ସହ ପୋଲିସ ସହାୟତା, ମେଡିକାଲ ସହୟତା, ଆଇନଗତ ସହାୟତା, ମନସ୍ତାତ୍ତ୍ୱିକ ସାମାଜିକ ପରାମର୍ଶ, ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା କରି ଆବଶ୍ୟକ ସମୟରେ ପୋଲିସର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଦେବାଶିଷ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗରିବ ଓ ଅସହାୟ ଲୋକଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ନିମନ୍ତେ ଗଠିତ ହୋଇଥିବା ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ଉପରେ ଆଲୋକପାତ କରି ମହିଳା ଓ ଶିଶୁ କନ୍ୟା ମାନଙ୍କ ନିମନ୍ତେ ଆଇନଗତ ଅଧିକାର ନିମନ୍ତେ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଭାରେ ଆଇ.ଏ.ଏସ୍‌ ପ୍ରବୋସନର ମନୋଜ ମହାଜନ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ରୋଗ ବିଭାଗର ବିଭାଗୀୟ ମୁଖ୍ୟ ଡା: ଲୀନା ଦାସ, ପୂର୍ବତନ ଏ.ଡି.ଏମ.ଓ ଡା: ମଞ୍ଜୁବାଳା ପଣ୍ଡା, ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୋଲାପ ବାଗ ପ୍ରମୁଖ ଉପସ୍ଥିତ ରହି କନ୍ୟା ସନ୍ତାନ ମାନଙ୍କ ମାନସିକ ଓ ବୈଦ୍ଧିକ ବିକାଶ, ସ୍ୱାସ୍ଥ୍ୟର ଯତ୍ନ ଓ ପୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସଭାରେ ବାଲ୍ୟ ବିବାହ ରୋକିବା ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁକନାଭଟା, ନୂଆଁପଡା ତାରା ସିଂ-୨, ଲୋଇସିଂହା ବ୍ଲକର ଫଟାମୁଣ୍ଡା, ରେଙ୍ଗାଲି, କଦଳୀପାଲି, ବୁର୍ଡା-୧, ବୁର୍ଡା-୨, ଓ ବଲାଙ୍ଗର ବ୍ଲକର ଉଚ୍ଚବାହାଲ ଅଙ୍ଗନୱାଡି କର୍ମୀ, ସଂପୃକ୍ତ ଆଇ.ସ.ଡି.ଏସ୍‌ ସୁପର ଭାଇଜର ଓ ସିଡିପିଓଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଶିଶୁ କନ୍ୟା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସର ଭଗବତୀ ଗୁରୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ବିଡିଓ ରାମଦତ୍ତ ଭୋଇ, ଡି.ଆଇ.ପିଆର.ଓ ଜୟଦେବ ପାଣିଗ୍ରାହୀ, ୱାନ ଷ୍ଟପ ସେଣ୍ଟର ସଖିର କର୍ମକର୍ତ୍ତା, ସିଡିପିଓ, ସୁପରଭାଇଜର ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.