ବଲାଙ୍ଗିର, (କେପିଏନ୍ଏସ୍) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୭ ଜୁଲାଇ ଦିନ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ଜିଲ୍ଲା ବିଦ୍ୟାଳୟ ସ୍ଥରୀୟ “ଜାତୀୟ ହେରିଟେଜ କ୍ୱିଜ଼” ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୯ଟି ସ୍କୁଲରୁ ୬୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଦୁଇଟି ରାଉଣ୍ଡରେ ଏହି ପ୍ରତିଯୋଗିତା ହୋଇଥିଲା । ପ୍ରଥମ ରାଉଣ୍ଡ ଲେଖା ଓ ଦ୍ଵିତୀୟ ରାଉଣ୍ଡ ମୌଖିକ ହୋଇଥିଲା । ଏଥିରେ ଇଣ୍ଟାକ ବଲାଙ୍ଗିର ଶାଖାର ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ କ୍ୱିଜ଼ ମାଷ୍ଟର ରୂପେ ଏହାକୁ ପରିଚାଳନା କରିଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବରେ ଇଣ୍ଟାକ ବଲାଙ୍ଗିର ଶାଖା ସଂଯୋଜକ ଡ. ଶିବ ପ୍ରସାଦ ନନ୍ଦ ଓ ସହ ସଂଯୋଜକ ଶଶୀଭୁଷଣ ପୁରୋହିତ ଅତିଥି ରୂପେ ଯୋଗଦେଇ ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ । ଆଇ.ଡି.ଏମ. ପବ୍ଲିକ ସ୍କୁଲର ସାନଭୀ ନାୟକ ଓ ସର୍ବେଶ ମେହେରଙ୍କ ଗ୍ରୁପ ପ୍ରଥମ, ଦ୍ଵିତୀୟ ବିଜେତାରୂପେ ଆଇ.ଡି.ଏମ. ପବ୍ଲିକ ସ୍କୁଲର ଶ୍ରବଣ କୁମାର ତ୍ରିପାଠୀ ଓ ସଚିନ ମେହେରଙ୍କ ଦଳ ଓ ତୃତୀୟ ବିଜେତାରୂପେ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରିୟାଂଶୀ ପ୍ରିୟଦର୍ଶିନୀ ଦାଶ ଓ ଦମୟନ୍ତୀ ଖୁଆସଙ୍କ ଦଳ ଟ୍ରଫି ଓ ପ୍ରମାଣ ପତ୍ର ଅତିଥିଙ୍କଠାରୁ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ପ୍ରଦାନ କରାହେଲା । ଶେଷରେ ଇଣ୍ଟାକ ବଲାଙ୍ଗିର ଶାଖାର ବରିଷ୍ଠ ସଭ୍ୟ ବିଜୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଟାକର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଭା ସଂଯୋଜନା କରିଥିଲେ ଓ ଇଣ୍ଟାକର ଆଜୀବନ ସଭ୍ୟ ସଂଜୀବ ନାଏକ ଓ ବିଶ୍ୱଜିତ ଦାଶ ଆୟୋଜନରେ ସହଯୋଗ କରିଥିଲେ । ଏଥିରେ ପ୍ରଥମ ହୋଇଥିବା ଗ୍ରୁପ ଆସନ୍ତା ମାସରେ ଭୁବନେଶ୍ୱରଠାରେ ହେବାକୁଥିବା ରାଜ୍ୟ ସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଇଣ୍ଟାକର ସଂଯୋଜକ ଶ୍ରୀ ନନ୍ଦ ସୂଚନା ଦେଇଥିଲେ ।
