ଗଞ୍ଜାମରେ ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିରେ ଦେଢ଼ ବର୍ଷର ଜଣେ କୁନି ଝିଅ ମୃତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମର ଏକ ଦେଢ ବର୍ଷର କୁନି ଝିଅ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗୁରୁବାର ଦିନ ସୁସ୍ଥ ହେଇ ଘରକୁ ଫେରିଥିଲେ କିନ୍ତୁ ସେହି କୁନି ଝିଅର ଆଜି ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ଜଣକ ହେଲେ ବବୁଲି ଶବର । ଏଯାବତ ଗଞ୍ଜାମରେ ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମ୍ପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଝାଡ଼ାବାନ୍ତି ଓ ହଇଜା ରୋଗର ନିରାକରଣ ନିମନ୍ତେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ଯାବତ୍ କୌଣସି ଆଶୁ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ହେତୁ ଜିଲ୍ଲା ଜଳ ଓ ପରିମଳ, ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱଚ୍ଛତା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ହେତୁ ଲୋକେ ଦୂଷିତ ଜଳକୁ ପାନୀୟ ଜଳ ଭାବେ ଗ୍ରହଣ କରୁଥିବା ନେଇ ଏକ ଅଦ୍ଭାବନୀୟ ପରିସ୍ଥିତି ଉପୁଜି ଜଳ ଓ ପରିମଳ ସେବା ବିଗିଡ଼ି ବିପର୍ଯ୍ୟସ୍ତ ହୋଇପଡିଛି, ବୋଲି ଜନ ସାଧାରଣରେ ଅସନ୍ତୋଷର କ୍ଷୋଭ ପ୍ରକାଶ ପାଇଛି । ବାସ୍ତବିକ୍ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଦୂଷିତ ଜଳକୁ ପାନୀୟ ଜଳ ଭାବେ ଯୋଗାଣ କରାଯାଉଥିବା ବିଷୟରେ ବହୁବାର ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କଠାରେ ଏବଂ ବରିଷ୍ଠ ଯନ୍ତ୍ରୀ ମୃଦୁ ପାଣିଗ୍ରାହୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଏକ ସଙ୍ଗୀନ ଅଭିଯୋଗ ହୋଇଆସୁଛି । ଫଳରେ ଛତ୍ରପୁର ଅଞ୍ଚଳରେ ଆଗମୀ ଦିନରେ ଭୟାବହ ଝାଡ଼ାବାନ୍ତି ଓ ହଇଜା ଏବଂ ମହାମାରୀ ରୋଗ ବ୍ୟାପକ ଭାବେ ବ୍ୟାପିବା ଆଶଙ୍କା ରହିଛି । ପ୍ରକାଶ ଥାଉକି, ଜିଲ୍ଲାର ସମସ୍ତ ସ୍ୱାୟତ୍ତ ଶାସନ ସଂସ୍ଥା ତଥା ୧୬ ଗୋଟି ଏନ୍.ଏ.ସି., ହିଞ୍ଜିଳିକାଟୁ ମ୍ୟୁନିସିପାଲଟୀ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ କୌଣସି ସ୍ଵାସ୍ଥ୍ୟ ସଚେତନତା ବାର୍ତ୍ତା ଦିଆଯାଇନାହିଁ । ବର୍ତ୍ତମାନ ସମୟରେ ଋତୁ ପରିବର୍ତ୍ତନ ହୋଇଥିବା ବେଳେ ସ୍ଵଚ୍ଛତା ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ, ଯାହା ପ୍ରତ୍ୟକ୍ଷ ଭାବେ ସ୍ୱଷ୍ଟ ପ୍ରତିପାଦିତ ହୋଇଛି । ସ୍ୱଚ୍ଛ ସୁନ୍ଦର ପରିମଳ ନିମନ୍ତେ ବିହିତ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିନାହିଁ । ସହରାଞ୍ଚଳ ବିକାଶ କଥା ଦୂରେଇ ଥିବା ବେଳେ ଏଣେ ସହରାଞ୍ଚଳର ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ନାଳମାନଙ୍କରେ ଫିନାଇଲ ଓ ମଶାମାରୀ ତେଲ ପକାଇବା, ରାସ୍ତା କଡ଼ରେ ବ୍ଲିଚିଂପାଉଡର ସିଞ୍ଚନ କରାଇବା, ବନ୍ଧ, ପୋଖରୀ, ନଈ, ନାଳ, କୂପ ଗୁଡିକରେ ବ୍ଲିଚିଂପାଉଡର ସିଞ୍ଚନ କରାଇବା ଅବା ବ୍ଲିଚିଂପାଉଡର ଜଳାଶୟରେ, ଜଳକୁଣ୍ଡରେ ଗୋଳାଇ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଧ୍ୟାନ ଦେଇନାହାଁନ୍ତି । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ସ୍ଵାସ୍ଥ୍ୟ ମିଶନ, ପାନୀୟ ଜଳ ବିଭାଗ, ଜଳ ଓ ପରିମଳ ସେବା ପକ୍ଷରୁ ମିଳିତ ଅପରେସନ ଜାରି ରଖି, ଏହାର ବିହିତ ପ୍ରତିକାର ଏବଂ ବିହିତ ପଦକ୍ଷେପ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.